କମିଛି ନଦୀର ଜଳସ୍ତର କିନ୍ତୁ କମିନି ଦୁଃଖ ଦୁର୍ଦ୍ଦଶା: ନଦୀ ବନ୍ଧରେ ରାତି କାଟୁଛନ୍ତି ବନ୍ୟା ବିପନ୍ନ

ବାଲେଶ୍ୱର: ବିଭିନ୍ନ ନଦୀର ଜଳ ସ୍ତର କମୁଥିବା ବେଳେ ଝାଡ଼ଖଣ୍ଡ ଗାଲୁଡିହ ଡ୍ୟାମରୁ ଜଳପ୍ରବାହ କମିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଖସୁଛି। ହେଲେ ତଳିଆ ଅଞ୍ଚଳରେ ବନ୍ୟା ଆଜି ବି କରାଳ ରୂପ ଧରି ବହୁଛି। ବନ୍ୟା ପାଣିରେ ବୁଡ଼ି ରହିଛି ଅନେକ ଲୋକଙ୍କ ଘର, ଗାଁ ଦାଣ୍ଡରେ ସୁଅ କାଟୁଛି ପାଣି। ଜୀବନକୁ ଯେନତେନ ପ୍ରକାରେ ବଞ୍ଚାଇ ଆଣିଥିଲେ ମଧ୍ୟ ହେଲେ ଏବେ କିପରି ଚଳିବେ  ସେ ଚିନ୍ତାରେ ପଡ଼ିଯାଇଛନ୍ତି ବନ୍ୟା ବିପନ୍ନ।

ବାଲେଶ୍ୱର ଜିଲ୍ଲାର ବିଷ୍ଣୁପୁର ଠାରେ ୩୦ ଫୁଟର ଘାଇ ହେବା ପରେ ବନ୍ୟା ପାଣିରେ ବୁଡ଼ି ରହିଛି ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ୨୫୦ରୁ ଅଧିକ ଗାଁ। ଘରେ ପାଣି ପଶିଯିବା ଯୋଗୁ  ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। କେଉଁଠି ନଦୀ ବନ୍ଧରେ ଜରିଟାଙ୍ଗି ରାତି କଟାଉଛନ୍ତି ତ ଆଉ କେତେକ ଲୋକ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। ସରିସୃପ, ଜୀବଜନ୍ତୁ ଭୟ ଥିଲେ ମାଟି ଚଟାଣ ଉପରେ ବନ୍ୟା ବିପନ୍ନ ନିଜ ଛୋଟ ଛୋଟ ଛୁଆଙ୍କୁ ନେଇ ଜୀବନ କାଟୁଛନ୍ତି। ରିଲିଫ ଆକାରରେ ଚୁଡ଼ା, ଗୁଡ଼ ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ। ରନ୍ଧା ଖାଦ୍ୟ ମଧ୍ୟ ଦିନକୁ ଥରେ ମିଳୁଛି। ଏମିତି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଶହେରୁ ଅଧିକ ବନ୍ୟା ବିପନ୍ନ ପରିବାର।

Related Articles

Back to top button