![](https://abhigam.com/wp-content/uploads/2022/08/meerut-husband-gave-triple-talaq-for-not-getting-motorcycle-in-dowry-shaved-her-head-780x436.webp)
ଯୌତୁକରେ ବୁଲେଟ୍ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କରି ତଲାକ୍ ଦେଲେ ସ୍ବାମୀ
ମିରଟ: ଉତ୍ତର ପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକରେ ବୁଲେଟ ନ ମିଳିବାରୁ ସ୍ତ୍ରୀଙ୍କୁ ତିନି ତଲାକ୍ ଦେଇଛନ୍ତି ଜଣେ ବ୍ୟକ୍ତି। କେବଳ ଏତିକି ନୁହେଁ, ସ୍ତ୍ରୀଙ୍କୁ ଲଣ୍ଡା କରି ତାଙ୍କୁ ଘରୁ ବିଦା ମଧ୍ୟ କରିଛନ୍ତି। ଏନେଇ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଇତେଫାକନଗର ପୋଲିସ ଷ୍ଟେଶନରେ ମହିଳା ଜଣଙ୍କ କହିଛନ୍ତି, ସେ ଦୁଇ ବର୍ଷ ପୂର୍ବେ ଅଫଜଲପୁର ପାଉଟି ବାସିନ୍ଦା ଅହମ୍ମଦ ଅଲିଙ୍କୁ ବିବାହ କରିଥିଲେ। ବିବାହ ପରେ ବାପ ଘରୁ ବୁଲେଟ୍ ଆଣିବାକୁ ଅହମ୍ମଦ ବାରମ୍ବାର ସ୍ତ୍ରୀଙ୍କ ଉପରେ ଚାପ ପକାଉଥିଲେ। ଏହା ପୂରଣ ନ ହେବାରୁ ଗତ ଜୁନ୍ ୭ରେ ସ୍ତ୍ରୀଙ୍କୁ ଲଣ୍ଡା କରି ତାଙ୍କ ଘରକୁ ପଠାଇ ଦେଇଥିଲେ। ପଞ୍ଚାୟତ ବସି ମହିଳାଙ୍କୁ ପୁଣି ତାଙ୍କ ଶାଶୁ ଘରକୁ ପଠାଯାଇଥିଲା। ଏହା ପରେ ମଧ୍ୟ ତାଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଉଥିଲା।
ଗତ ଅଗଷ୍ଟ ୧୪ରେ ଅହମ୍ମଦ ସ୍ତ୍ରୀଙ୍କୁ ତିନ ତଲାକ୍ ଦେବା ସହ ତାଙ୍କୁ ଘରୁ ତଡି ଦେଇଥିଲେ। ପରେ ମହିଳା ଜଣଙ୍କ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। କିନ୍ତୁ ପୋଲିସ ମାମଲା ରୁଜୁ କରି ନ ଥିଲା। ପରେ ପୀଡିତା ଏସଏସପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ପୀଡିତାଙ୍କ ଅଭିଯୋଗ ଉପରେ, କଙ୍କାଖେଡା ପୋଲିସ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।