୨୨ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବା ସହ ପାଣିପାଗରେ ପରିବର୍ତ୍ତନ ହେବ

କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ବାୟୁ ମଣ୍ଡଳର ମଧ୍ୟଭାଗ ଓ ଉପରଭାଗ ମଧ୍ୟରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ରାଜ୍ଯର ଅନେକ ଜିଲ୍ଲାରେ ଘଡ଼ଘଡ଼ି ଓ କୁଆପଥର ସହିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବର୍ତମାନର ପାଣିପାଗ ସ୍ଥିତି ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୦.୬ ମିମି ତୁଳନାରେ ୩୮୯୬% ଅଧିକ ବର୍ଷା ରେକର୍ଡ କରାଯାଇଛି । ତେବେ ଆସନ୍ତା କାଲିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ୨୨ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବା ସହ ପାଣିପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ କାଳବୈଶାଖୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍‌‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ସରକାରଙ୍କୁ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାପାଇଁ କୁହାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଅର୍ଥାତ ଗୁରୁବାର ସନ୍ଧ୍ଯା ପର୍ଯ୍ୟନ୍ତ ଗଂଜାମ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ ଏବଂ ଜଗତସିଂହପୁର ଜିଲାରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିଭଳି ଆସନ୍ତା ୨୪ ଘଣ୍ଟା ଯାଏଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳ ଆଜି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related Articles

Back to top button