ଭଦ୍ରକରେ ପାଳନ ହେଉଛି ଐତିହାସିକ ବୁଢା ଗଣେଶ ପୂଜା, ଏକ ମାସ ଧରି ପୂଜା ପାଇବେ ଗଜାନନ

ଭଦ୍ରକ: ପବିତ୍ର ଶ୍ରୀ ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଛି ଭଦ୍ରକ ସହର। ଦୁଇ ବର୍ଷ ଧରି କରୋନା କଟକଣା ରହିଥିବାରୁ, ପୂଜା ଫିକା ପଡିଥିଲା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ହଟିଯାଇଥିବାରୁ ଗଣେଶ ପୂଜା ବେଶ ଧୁମ ଧାମରେ ପାଳନ ହେଉଛି । ଭଦ୍ରକର ଐତିହାସିକ ପ୍ରସିଦ୍ଧ ଶ୍ରୀ ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ ସମେତ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ବୁଢା, ଟୋକା, ପିଲା ଓ ଛୁଆ ଗଣେଶ ପୂଜା ମଣ୍ଡପ ଗୁଡିକର ବିଶେଷତ୍ୱ ହେଲା ସାଧାରଣ ଭାବେ ଗଣେଶ ପୂଜା ଦିନେ ଅଥବା ଦୁଇଦିନ ପାଇଁ ଅନୁଷ୍ଠିତ ହେଉଥିବା ବେଳେ ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଏହି ପୂଜା ଏକ ମାସ ବ୍ୟାପୀ ପାଳନ କରା ଯାଇଥାଏ ।

ପବିତ୍ର ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହେଉଥିବା ଏହି ପୂଜା ମାସବ୍ୟାପୀ ଅନୁଷ୍ଠିତ ହେବା ପରେ ବଡ଼ ଜାକ ଜମକରେ ଠାକୁରଙ୍କ ବିସର୍ଜନ କରାଯାଇଥାଏ । ଠାକୁରଙ୍କ ଭସାଣି ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏକ ମାସ ଧରି ପୂଜା ମଣ୍ଡପ ଗୁଡିକରେ ଦୈନିକ ଶହ ଶହ ଭକ୍ତଙ୍କ ଗହଳି ଲାଗିଥାଏ । ଆଜି ରୀତି ନୀତି ଅନୁଯାୟୀ ସମସ୍ତ ପୂଜା ମଣ୍ଡପରେ କଳସ ଶୋଭାଯାତ୍ରା କରାଯିବା ସହ ପୂଜା ଆରମ୍ଭ ହୋଇଛି । ଦୁଇ ବର୍ଷ ପରେ ପୂଜା ଜାକଜମକରେ ପାଳନ ହେଉଥିବାରୁ ଭଦ୍ରକ ସହରବାସୀ ଓ ପୂଜା କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Related Articles

Back to top button