
ଟାଣ ଖରାରେ କଲବଲ ରାଜ୍ୟବାସୀ: ୧୪ ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି
ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । କଲବଲ କରୁଛି ଟାଣଖରା । ଏପ୍ରିଲ ଆରମ୍ଭରେ ତାପମାତ୍ରା ୪୩ ଡ଼ିଗ୍ରୀ ପାର୍ କରିଗଲାଣି । ଶୁକ୍ରବାର ୪୩.୫ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ବର ଏସିଆର ଷଷ୍ଠ ଏବଂ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା। ଏହା ଦ୍ୱାରା ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଫଳରେ ସହରରେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଆଜି ୧୪ ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ତେବେ ୭ ଓ ୮ ତାରିଖ ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହୌାଦ୍ୱାରା କିଛି ପରିମାଣର ଆଶ୍ୱସ୍ତି ମିଳିପାରେ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ରାଜ୍ୟର ୨୫ଟି ସହରରେ ପାରଦ ୪୦ ଟପିଥିଲା। ୯ଟି ସ୍ଥାନରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତ ଆଶଙ୍କା ବଢୁଥିବାରୁ ସରକାର ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।