କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଲା ସ୍ୱାମୀ

କୋରାପୁଟ: କାଳ ହେଲା ଘର କଳି। ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଲା ସ୍ୱାମୀ। ଅଜବ ଲାଗୁଥିଲେ ବି ଘଟଣାଟି ସତ। କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଦଶରଥ ସାହୁ ଓ ପତ୍ନୀ ଗୌରୀ ସାହୁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୁଏ । ଆଉ ଏହି କଳିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଦଶରଥ ସ୍ତ୍ରୀ ଗୌରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଇଥିଲା। ହେଲେ ପ୍ରଥମେ କେହି ଟେର୍ ପାଇ ନଥିଲେ। ଦୀର୍ଘ ଦିନ ଧରି ଗୌରୀଙ୍କୁ ସାହି ପଡ଼ିଶା କେହି ନଦେଖିବାରୁ ସନ୍ଦେହ ହୋଇଥିଲା । ଏପରିକି ଗୌରୀଙ୍କ ବାପା ବାରମ୍ବାରା ଦଶରଥଙ୍କୁ ଝିଅ ବିଷୟରେ ପଚାରିବା ବେଳେ ସେ ଅନେକ ବାହାନା କରୁଥିଲେ।

ପରେ କହିଥିଲେ ଗୌରୀ, ରାୟଗଡ଼ାରେ ପୁଅ ପାଖେ ଅଛି । ସଙ୍ଗେ ସଙ୍ଗେ ଅଜା, ନାତିକୁ ଫୋନ୍ କରି ପଚାରିଥିଲେ । ହେଲେ ନାତି କହିଥିଲା ମାଆ ମୋ ପାଖକୁ ଆସିନି, ମୁଁ ବି ବହୁତ ଦିନ ହେଲା କଥା ହୋଇ ନାହିଁ । ଯାହାକୁ ନେଇ ସନ୍ଦେହ ହେବାରୁ ଗୌରୀଙ୍କ ବାପଘର ଲୋକ କାକିରିଗୁମ୍ମା ଥାନାରେ ଏତଲା ଦେଇଥିଲେ । ପୋଲିସର ପଚରାଉଚରା ପରେ ଦଶରଥ, ଗୌରୀକୁ ମାରି ପାଇଖାନା ଟାଙ୍କିରେ ପୋତିଥିବା ମାନିଥିଲା ।

ଲକ୍ଷ୍ମୀପୁର ଏସଡିପିଓ ଅଶ୍ଵିନୀ କୁମାର ନାୟକ, କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ, ମାଜିଷ୍ଟ୍ରେଟ, ଫରେନସିକ୍ ଟିମ୍ ଉପସ୍ଥିତିରେ ପାଇଖାନା ଟାଙ୍କି ଖୋଳା ଯାଇ ଗୌରୀଙ୍କ ମୃତଦେହ ଜବତ କରାାଇଛି । ଫରେନସିକ୍ ପରୀକ୍ଷା ପାଇଁ ଶବର କିଛି ଅଂଶକୁ ଲ୍ୟାବକୁ ପଠା ଯାଇଛି।

Related Articles

Back to top button