ବରିଷ୍ଠ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ବା ଶକ୍ତି ବିଭାଗର ସଚିବ ବରିଷ୍ଠ ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ଧଳଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ସହ, ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଏବଂ ଗ୍ରୀଡ୍‌କୋର ଚେୟାରମ୍ୟାନ୍‌ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର। ଶ୍ରୀ ଧଳ କାର୍ଯ୍ୟରେ ଯୋଗଦେବା ପରେ ଅବକାରୀ ବିଭାଗର ଅତରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ଆଇଏଏସ୍‌ ଅଧିକାରୀ ଦେଓ ରଞ୍ଜନ କୁମାର ସିଂହ ଏହି ପଦରୁ ହଟିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି  ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ୧୯୯୮ ବ୍ୟାଚ୍ ଆଇଏଏସ୍ ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଛି । ସେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ । ସେ ଅତିରିକ୍ତ ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଦାୟିତ୍ୱ ତୁଲାଇବେ । ତାଙ୍କ ସ୍ଥାନରେ ୧୯୯୯ ବ୍ୟାଚ୍ ଆଇଏଏସ୍ ଶୁଭା ଶର୍ମା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ ।

ସେହିପରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେ ପୂର୍ବଭଳି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ(ପ୍ରୋଟୋକଲ)ର ଅତିିରକ୍ତ ଦାୟିତ୍ୱ ତୁଲାଇବେ । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଆଇଆରଟିଏସ୍ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ୍ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଏନଏଚଏମ୍ ନିର୍ଦ୍ଦେଶିକା ତଥା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ଡଃ ବୃନ୍ଦା ଡିଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ)ର ମିଶନ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ଖାଦ୍ୟ ନିରାପତ୍ତା କମିଶନର ଭାବେ କାର୍ଯ୍ୟ କରିବେ । ୨୦୦୮ ବ୍ୟାଚ୍ ଆଇଏଏସ୍ ଗୁହା ପୁନମ ତାପସ କୁମାରଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଓରମାସ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

Related Articles

Back to top button