ଆଜୀବନ ସଜା ଭୋଗୁଥିବା ବନ୍ଦୀଙ୍କୁ କାରାଗାରରୁ ଖଲାସ କରିବା ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କଲେ ଓଡ଼ିଶା ସରକାର

ଭୁବନେଶ୍ବର : ଜାତୀୟ ମାନବିକ ଅଧିକାର କମିସନଙ୍କ ଦିଶା ନିର୍ଦେଶାବଳୀ ଭିତ୍ତିରେ ଓଡ଼ିଶା ସରକାର ଆଜୀବନ ସଜା ଭୋଗୁଥିବା ବନ୍ଦୀଙ୍କୁ କାରାଗାରରୁ ଖଲାସ କରିବା ପାଇଁ ଏକ ନୀତି କରିଛନ୍ତି। ନୀତି ଅନୁସାରେ, ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ବନ୍ଦୀ ଛୁଟି ସହ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ କାରାଗାରରେ ରହିଥିଲେ, ତାଙ୍କ ସଜା କୋହଳ ପାଇଁ ସରକାରଙ୍କ ଦ୍ୱାରା ଗଠିତ ସଜା କୋହଳ କମିଟି ବିଚାର କରିବେ। କୌଣସି ପରିସ୍ଥିତିରେ ଜଣେ ୨୫ବର୍ଷରୁ ଅଧିକ କାରାଗାରରେ ରହିବେ ନାହିଁ ବୋଲି ଏହି ନୀତିରେ ଉଲ୍ଲେଖ ରହିଛି। ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ, ଏହି ନୀତି ରାଜ୍ୟରେ ଥିବାବେଳେ ଅନେକ ବନ୍ଦୀ ୨୫ବର୍ଷ କାରାଗାରରେ କାଟିସାରିଛନ୍ତି। ରାଜ୍ୟ ଜେଲ୍‌ ନିର୍ଦେଶାଳୟରୁ ମାନବିକ ଅଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଜାନୁଆରୀ ୨୦୧୯-୨୨ ଏପ୍ରିଲ ସୁଦ୍ଧା ୨୦ବର୍ଷ ସଜା ଭୋଗିଥିବା ୨୮ଜଣଙ୍କୁ ଖଲାସ ପାଇଁ କମିଟି ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି। ୨୧ ବର୍ଷ କାରାଗାରରେ ଥିବା ବନ୍ଦୀଙ୍କ ଭିତରୁ ୨୦ଜଣ, ୨୨ବର୍ଷ ସଜା ଭୋଗିଥିବା ଜଣେ, ୨୩ବର୍ଷ ଥିବା ୧୪ ଜଣ, ୨୪ବର୍ଷ ୯ଜଣ ଓ ୨୫ବର୍ଷ ୧୨ଜଣ ବନ୍ଦୀକୁ ଖଲାସ ପାଇଁ ରାଜ୍ୟ ଦଣ୍ଡ କୋହଳ କମିଟି ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି। ଏହିକ୍ରମରେ ୨୫ବର୍ଷରୁ ଊର୍ଦ୍ଧ୍ବ ଅର୍ଥାତ୍ ୨୪ବର୍ଷର ୫ଜଣ କାରାଗାରରେ ରହିବା ପରେ ମୁକୁଳିବା ପାଇଁ ବାଟ ଫିଟିଛି। ସେହିପରି ୨୭ବର୍ଷ ବନ୍ଦୀ ଥିବା ୫ ଜଣ, ୨୮ବର୍ଷ ୪ଜଣ, ୨୯ ବର୍ଷ ଜଣେ, ୩୦ ବର୍ଷ ୪ଜଣ, ୩୪ବର୍ଷ ଜଣେ, ୩୫ବର୍ଷ ଜଣେ ଓ ୩୬ ବର୍ଷ ବନ୍ଦୀ ଥିବା ଜଣଙ୍କୁ ଖଲାସ ପାଇଁ କମିଟି ପକ୍ଷରୁ ସୁପାରିସ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ୩୫ବର୍ଷ କାରାଗାରରେ ଥିବା ଦେବେନ୍ଦ୍ର ପ୍ରଧାନଙ୍କୁ ଖଲାସ ପାଇଁ କମିଟି ସୁପାରିସ କରିଥିଲା କିନ୍ତୁ ସେ ଖଲାସ ହୋଇନଥିଲେ। ପରବର୍ତ୍ତୀ ସମୟରେ ବୈଠକରେ ପୁନର୍ବାର ତାଙ୍କୁ ଖଲାସ ପାଇଁ କମିଟି ସୁପାରିସ କରିଥିଲା। ଚୌଦ୍ୱାର ସର୍କଲ ଜେଲ୍‌ରେ ଜଣେ ବନ୍ଦୀ ୨୭ବର୍ଷ ଧରି ରହିଥିଲେ ମଧ୍ୟ ସେ ଦୁଇଟି ହତ୍ୟାକାଣ୍ଡରେ ଜଡ଼ିତ ଥିବାରୁ ତାଙ୍କୁ ଖଲାସ କରିବା ପାଇଁ କମିଟି ସୁପାରିସ କରିନାହିଁ। ଅନ୍ୟପକ୍ଷରେ ୬ବନ୍ଦୀଙ୍କ ମୁକ୍ତି ବିଷୟକୁ ଏକ ବୈଷୟିକ କାରଣ ଦେଖାଇ କମିଟି ବିଚାରକୁ ନେଇ ନ ଥିଲେ। ୧୯୯୭ରେ ଅାଗରପଡ଼ା କଲେଜରେ ପଢ଼ୁଥିବା ବେଳେ ଗୋପାଳ ଦାସ ନାମକ ଯୁବକ ଏକ ହତ୍ୟାକାଣ୍ଡ ମାମଲାରେ ସଜା ଭୋଗୁଛି। ତାକୁ ଖଲାସ କରିବା ପାଇଁ କମିସନଙ୍କ ସୁପାରିସ ଲୋଡ଼ା ଯାଇଛି। ଉକ୍ତ କମିଟି ଗୃହ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ। ଏଥିରେ ଅଧ୍ୟକ୍ଷଙ୍କ ସମେତ ସମୁଦାୟ ୬ଜଣ ସଦସ୍ୟ ରହିଛନ୍ତି।

Related Articles

Back to top button