ବ୍ରହ୍ମପୁରରେ ବେଆଇନ୍‌ ସପିଂ ମଲ୍‌ ନିର୍ମାଣ ନେଇ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ ଏବଂ ପ୍ରମୁଖ ରାସ୍ତା ଗୁଡ଼ିକ କଡ଼ରେ ବେଆଇନ୍‌ ଭାବେ ସପିଂ ମଲ୍ ଏବଂ କୋଠା ନିର୍ମାଣ ବଢ଼ିବାରେ ଲାଗିଛି । ସିଟି ହସ୍ପିଟାଲ କଡ଼ରେ ଗତ ଦୁଇ ଦିନ ପୂର୍ବେ ଉଦ୍‌ଘାଟିତ ହୋଇଥିବା ସପିଂ ମଲ୍‌ ‘ଇଜୀ ବାୟ’କୁ ବେଆଇନ୍‌ ନିର୍ମାଣ ନେଇ ମଙ୍ଗଳବାର ଉଭୟ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି ।

୭ ଦିନ ଭିତରେ ଜବାବ ରଖିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି। ସିଟି ହସ୍‌ପିଟାଲ୍‌ ରାସ୍ତା ସହରର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା । ଦୈନିକ ଶହଶହ ଗାଡ଼ି ମୋଟର ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ରାସ୍ତା କଡ଼ରେ ସପିଂ ମଲ୍‌ ନିର୍ମାଣ ଏବଂ ସମ୍ଭାବ୍ୟ ଟ୍ରାଫିକ ସମସ୍ୟା ନେଇ ଅଭିଯୋଗ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି । ଅପର ପକ୍ଷେ ଯଦି ବେଆଇନ୍‌ ଭାବେ ନିର୍ମାଣ ହୋଇଛି । ତେବେ କାହିଁକି ଏତେ ଦିନ ହେଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ମଙ୍ଗଳବାର ସନ୍ଧ୍ୟାରେ ଉଭୟ ବିଏମ୍‌ସି ଏବଂ ବିଡିଏର ଅଧିକାରୀମାନେ ସପିଂ ମଲ୍‌ରେ ପହଞ୍ଚିଥିଲେ । ମାଲିକଙ୍କୁ ନୋଟିସ୍‌ ଦେବା ସହ ସପିଂ ମଲ୍‌ କାନ୍ଥରେ ନୋଟିସ୍‌କୁ ଟଙ୍ଗାଇ ଦେଇଥିଲେ । ମଲ୍‍ର ମାଲିକ କୃଷ୍ଣଚନ୍ଦ୍ର ସାହୁଙ୍କ ନାମରେ ଏହି କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବା ସୂଚନା ମିଳିଛି ।

ବିଏମ୍‍ସି ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ବେସ୍‍ମେଣ୍ଟ ସହିତ ଗ୍ରାଉଣ୍ଡ ଫ୍ଲୋର ଏବଂ ତିନି ମହଲା ବ୍ୟବସାୟିକ କୋଠା ନିର୍ମାଣ ପାଇଁ ୨୦୨୧ ମସିହା ସେପ୍ଟେମ୍ବର ୨୨ ତାରିଖରେ ମଲ୍‌ର ମାଲିକ ସାହୁ ଆବେଦନ କରିଥିଲେ । ବିଏମ୍‍ସିର ପ୍ଳାନିଂ ବିଭାଗ ଏହି ଆବେଦନକୁ ଗ୍ରହଣ କରିବା ପରେ କ୍ଷେତ୍ର ପରିଦର୍ଶନ କରିଥିଲା ।

ଗତ ମାର୍ଚ୍ଚ ୨୧ ତାରିଖରେ ଡ଼େଭ୍‍ଲପ୍‍ମେଣ୍ଟ ପ୍ଳାନ୍‍ ଆଣ୍ଡ ବିଲ୍‍ଡ଼ିଂ ପ୍ଳାନ୍‍(ଡିପି ଆଣ୍ଡ ବିପି) କମିଟିର ବୈଠକରେ ଏନେଇ ଆଲୋଚନା ହୋଇଥିଲା । ଆବେଦନକୁ ଏହି ବୈଠକରେ ଅଗ୍ରାହ୍ୟ କରିଦିଆଯାଇଥିଲା । ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା ।

ବିଏମ୍‍ସି କିମ୍ବା ବିଡ଼ିଏ ପକ୍ଷରୁ ଦଖଲ ପ୍ରମାଣପତ୍ର ମଧ୍ୟ ନିଆଯାଇ ନଥିଲା । ଏଣୁ ତୁରନ୍ତ ୭ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍‍ର ଜବାବ ଦେବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି । ଅପର ପକ୍ଷେ ବିଡିଏ ତରଫରୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି ।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ ଜାଗାରେ ତିନି ମହଲା ବ୍ୟବସାୟିକ ତଥା ଆବାସିକ କୋଠା ନିର୍ମାଣ ପାଇଁ ଗତ ୨୦୧୯ ଜୁଲାଇ ୮ ତାରିଖରେ ଅନୁମତି ଦିଆଯାଇଥିଲା । କିନ୍ତୁ ଅନୁମତି ଠାରୁ ଭିନ୍ନ ପ୍ରକାରରେ ନିର୍ମାଣ କରାଯାଇଥିଲା ।

ଏହା ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ୍‌-୧୯୮୨ର ଖୋଲାଖୋଲି ଉଲଂଘନ। ପାର୍କିଂ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଯେତିକି ଜାଗା ରହିବା କଥା, ତାହା ମଧ୍ୟ ନାହିଁ । ଏଣୁ ଆସନ୍ତା ୭ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‍ର ଜବାବ ଦେବାକୁ କୁହାଯାଇଛି।

Related Articles

Back to top button