ନୂଆପଡ଼ାରେ ଏବେ ଗାଁ ଗାଁରେ ବାଘ ଆତଙ୍କ

ନୂଆପଡ଼ାରେ ଏବେ ଗାଁ ଗାଁରେ ବାଘ ଆତଙ୍କ । ଜଙ୍ଗଲରୁ ଗାଁ ମୁହାଁ ହୋଇଛି ବାଘ । କେତେବେଳେ ମଣିଷ ଶିକାର କଲାଣି ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଦେଉଛି । ଏମିତିକି ଗତ ୭ ଦିନ ମଧ୍ୟରେ ନୂଆପଡ଼ା ସଦର ବ୍ଲକ୍ ଅଞ୍ଚଳରେ ବାଘ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯିବା ପରେ ଲୋକମାନେ ଦିନରେ ବି ପଦାକୁ ବାହାରିବାକୁ ଡରୁଛନ୍ତି । ଗତକାଲି ସଦର ବ୍ଲକ୍ କୋଦୋପାଲିରୁ ଏକ କଲରାପତରିଆକୁ ବନ ବିଭାଗ କାବୁ କରିବାକୁ ସକ୍ଷମ ହୋଇଥିଲେ ବି ଲୋକଙ୍କ ଭିତରେ ଏବେ ବି ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସୂଚନା ଅନୁଯାୟୀ ନୂଆପଡ଼ା ଧରମବନ୍ଧା ସେକ୍ସନ୍ କୋଦପାଲି ଗାଁରେ ଜଣେ ନାବାଳକକୁ ଆକ୍ରମଣ କରି କ୍ଷତାକ୍ତ କରିବା ପରେ ରାତିରେ କଲରାପତରିଆ ବାଘଟି ଗାଁର ଜଣଙ୍କ ଘର ଛାତ ଉପରେ ଥିଲା । ପରେ ବନ ବିଭାଗ ଟିମ୍ ବାଘଟିକୁ ବହୁତ କଷ୍ଟରେ ଯନ୍ତାରେ ଫସାଇବାକୁ ସକ୍ଷମ ହୋଇଥିଲା । ଶୁକ୍ରବାର ପାଖ ସିଲିଆରିବାହାଲ ଗାଁର ଜଣେ ମହିଳା ରାମେଶ୍ୱର ବାଇ ଓ ଗତ ୩୧ ତାରିଖରେ ଏଠୁ ୭-୮ କିଲୋମିଟର ଦୂର କଟିଙ୍ଗପାଣି ଗାଁରେ ଦାଣ୍ଡରେ ଖେଳୁଥିବା ଏକ ଅଢେଇ ବର୍ଷର ଛୋଟ ଶିଶୁକୁ ଝାମ୍ପିନେଇ ମାରି ଖାଇଦେଇଥିଲା ମଣିଷଖିଆ ବାଘ । ତେଣୁ ଯନ୍ତାରେ ପଡ଼ିଥିବା ଏ ବାଘକୁ ଲୋକଙ୍କ ଆକ୍ରୋଶରୁ ସୁରକ୍ଷିତ ଉଦ୍ଧାର କରିବାକୁ ନାକେଦମ୍ ହୋଇଥିଲା ବନ ବିଭାଗ। ତେବେ ଗୋଟେ ନୁହେଁ ଆଉ ଗୋଟେ ବାଘ ବି ଆସି ଆତଙ୍କ ଖେଳାଉଛି ବୋଲି ଲୋକମାନେ କହିଛନ୍ତି ।

ଲୋକଙ୍କ କହିବା ଅନୁସାରେ ସୁନାବେଡ଼ା ଅଭୟାରଣ୍ୟ ହେଉକି ଟେରିଟୋରିଆଲ୍ ଫରେଷ୍ଟ। କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବା ସହ, ଦିନକୁ ଦିନ ସେମାନଙ୍କ ଉତ୍ପାତ ବି ବଢ଼ି ଚାଲିଛି। ଫଳରେ ନୂଆପଡ଼ା ବ୍ଲକର ଧରମବନ୍ଧା, ଭରୁଆ ମୁଣ୍ଡା, ଆମାନାରା ଓ କୋମନା ବ୍ଲକର କିଛି ଅଞ୍ଚଳରେ ଗଲା ବର୍ଷକରେ ବାଘ ଆକ୍ରମଣରେ ୩୦ରୁ ଅଧିକ ଗୃହପାଳିତଙ୍କ ପଶୁଙ୍କ ସହ ୩ ଜଣ ମଣିଷଙ୍କ ଜୀବନ ବି ଗଲାଣି । ତେବେ ଏଇ ୭-୮ ଦିନରେ ମଧ୍ୟ ପୁଣି ବାଘ ମାତିଥିବାରୁ ଭୟ ଓ ଆତଙ୍କରେ ଲୋକେ । ବାଘ ଡରରେ କେଉଁଆଡେ ଯାଇପାରୁନାହାନ୍ତି । ବାରମ୍ବାର କଲରାପତରିଆଙ୍କ ଉତ୍ପାତ ବଢ଼ି ଚାଲିଥିବାରୁ ବନ ବିଭାଗ ପ୍ରତି ବି ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ଅନ୍ୟପଟେ ଡିଏଫ୍ଓ କହିଛନ୍ତି ଜଙ୍ଗଲ ପାଖରେ ଗାଁ ଥିବାରୁ କଲରାପତରିଆ ବେଳେବେଳେ ଜନବସତିକୁ ପଶି ଆସୁଛନ୍ତି ଏଥିପ୍ରତି ଆମେ ଧ୍ୟାନ ଦେଇ ପାଟ୍ରୋଲିଂ ବି କରୁଛୁ ।

Related Articles

Back to top button