
ମାଲାକାନଗିରିର ଦୁର୍ଗମ ଅଞ୍ଚଳରେ ୪ଜି ସେବା ଯୋଗାଇଲା ଜିଓ
ଭୁବନେଶ୍ୱର: ସାରା ଦେଶର ଦୁର୍ଗମ ଅଞ୍ଚଳରେ ୪ଜି ଡିଜିଟାଲ୍ ସଂଯୋଗ ପ୍ରଦାନ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଜିଓ କାମ କରୁଛି। କଂପାନୀ ପକ୍ଷରୁ ଓଡ଼ିଶାର ମାଲକାନାଗିରି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ମାଥିଲି ବ୍ଲକ୍ର ୧୮ରୁ ଊର୍ଦ୍ଧ୍ୱ ଦୁର୍ଗମ ଗ୍ରାମ ଓ ପଲ୍ଲୀରେ ଡିଜିଟାଲ୍ ରୂପାନ୍ତରଣର ଶୁଭାରମ୍ଭ କରାଯାଇଛି । ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ୪ଜି ନେଟ୍ୱର୍କ ଟାୱାର କାର୍ଯ୍ୟକ୍ଷମ ହେବା ସହ ଜିଓ ଆଖପାଖ ଗ୍ରାମ ଓ ପଲ୍ଲୀଗୁଡିକରେ ବାସକରୁଥିବା ୧୨,୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି, ଯେଉଁମାନେ ଏବେ ପ୍ରଥମ ଥର ପାଇଁ ୪ଜି ଇଟଂରନେଟ୍ ସୁବିଧା ପାଇପାରୁଛନ୍ତି।
ଜିଓ ପକ୍ଷରୁ ତିନୋଟି ୪ଜି ନେଟ୍ୱର୍କ ଟାୱାର ସ୍ଥାପନ କରାଯିବା କାର୍ଯ୍ୟ ହାତକୁ ନିଆଯିବା ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ସୀମା ନିକଟବର୍ତ୍ତୀ ତଥା ମାଲକାନଗିରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୮୦ କିମି ଦୂର ଓ ମାଥିଲି ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୩୫ କିମି ଦୂରରେ ଥିବା ଏହି ତିନି ଗ୍ରାମ ପଂଚାୟତ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ଉପଯୁକ୍ତ ମୋବାଇଲ୍ ତଥା ଇଂଟରନେଟ୍ ସଂଯୋଗ ଉପଲବ୍ଧ ନଥିଲା । ମୋବାଇଲ୍ ନେଟ୍ୱର୍କ ଓ ୪ଜି ଇଣ୍ଟରନେଟ୍ ସଂଯୋଗର ଅଭାବରୁ ଏହି ଅଂଚଳର ବାସିନ୍ଦା ତଥା ଏଠାରେ କାମ କରୁଥିବା ପ୍ରଶାସନିକ ଅଧିକାରୀମାନେ ବାହ୍ୟ ଦୁନିଆ ସହ ଯୋଗଯୋଗ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରିକି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଯୋଗଯୋଗ କଷ୍ଟକର ହୋଇପଡୁଥିଲା । ଗତ ଦୁଇ ବର୍ଷର କୋଭିଡ୍-୧୯ ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍ରେ ଯୋଡ଼ି ହେବା ଲାଗି ଏହି ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ନେଟ୍ୱର୍କ ଓ ଇଣ୍ଟରନେଟ୍ ସଂଯୋଗ ହାସଲ କରିବା ଲାଗି ମାଇଲ ମାଇଲ ଦୂର ଯାତ୍ରା କରିବାକୁ ପଡୁଥିଲା ।
ତେବେ ନିକଟରେ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ଜିଓ ୪ଜି ନେଟ୍ୱର୍କ ଟାୱାର କାର୍ଯ୍ୟକ୍ଷମ ହେବାପରେ ଏହି ସମସ୍ୟା ଏବେ ଦୂର ହେବା ସହିତ ମହୁପଦର, କୁରୁମପାଲ୍ଲୀ, ମୁଣ୍ଡାଗୁଡ଼ା, କମରପାଲ୍ଲୀ, ଗାଲିଆଗୁଡ଼ା, ଧକଡରାସି, ତେମୁରୁପାଲ୍ଲୀ, କୁକୁରକୁ୍ଣ୍ଡ, ତୁଳସୀ, କାଟିଗୁଡ଼ା, ସାରିଗୁଡ଼ା, କୁୁଟୁନିପାଲ୍ଲୀ, କଡାପଦର, ନେତଲଗାନ୍ଧୀ ସମେତ ୧୮ରୁ ଉର୍ଦ୍ଧ୍ୱ ଗ୍ରାମ, ପଲ୍ଲୀ ଓ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ପାଖରେ ୪ଜି ଡିଜିଟାଲ ରୁପାନ୍ତରଣର ଲାଭ ପହଞ୍ଚିପାରିଛି ।