ନୂଆଁଖାଇରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ‘କାଳିଆ’ ସହାୟତା ରାଶି!

ଭୁବନେଶ୍ବର: ନୂଆଁଖାଇରେ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ଦିଆଯାଇପାରେ। ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବ। ଏଥିପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି। ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ‘କାଳିଆ’ ସହାୟତା ବାବଦକୁ ୧୮୭୪ କୋଟି ଟଙ୍କା ବଣ୍ଟା ହେବାକୁ ରହିଛି।

ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ‘କାଳିଆ’ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା। ଇତିମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇ ସାରିଲାଣି। ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୦୦ କୋଟି ଟଙ୍କା ବଣ୍ଟାଯିବାକୁ ପ୍ରକ୍ରିୟା ଚାଲିଛି।

ଇତିିମଧ୍ୟରେ ଯୋଜନା ଆରମ୍ଭ ହେବା ପରେ ୨୦୧୮ରେ ପ୍ରଥମ ଥର ପାଇଁ ରବି ଋତୁ ଲାଗି କାଳିଆ ସହାୟତା ଦିଆଯାଇଥିଲା। ୨୦୧୯ରେ କେବଳ ଖରିଫ ଫସଲ ଲାଗି ସହାୟତା ବଣ୍ଟନ କରାଯାଇଥିଲା। ୨୦୨୦ ଓ ୨୦୨୧ ରେ ଉଭୟ ରବି ଏବଂ ଖରିଫ ସହାୟତା, ୨୦୨୨ରେ ଖରିଫ ସହାୟତା ବଣ୍ଟନ ସରିଛି। ଏବେ ରବି ସହାୟତା ବଣ୍ଟନ ହେବାକୁ ରହିଛି। ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଶାନ) ଯୋଜନା କାର୍ଯ୍ୟକାରୀ କରାଯାଇ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ଯୋଗୁଁ ଉକ୍ତବର୍ଷ ରାଜ୍ୟ ସରକାର ରବି ସହାୟତା ପ୍ରଦାନ କରିପାରି ନଥିଲେ।

ସରକାରଙ୍କ ପକ୍ଷରୁ ଚାଷୀ ଗଣନା ଲାଗି ‘କୃଷକ ଓଡ଼ିଶା’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ନୂତନ ଭାବେ ସାମିଲ ହୋଇଥିବା ପ୍ରାୟ ୪୫ ହଜାରରୁ ଊର୍ଦ୍ଧ୍ବ ଭୂମିହୀନ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯିବାକୁ ରହିଛି। ମାତ୍ର ରବି ଋତୁ ଲାଗି ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯିବ। ଚଳିତ ବର୍ଷ ବନ୍ୟା ଯୋଗୁଁ ରାଜ୍ୟର ଅର୍ଦ୍ଧାଧିକ ଜିଲାର ଲୋକେ ଫସଲହାନିର ସମ୍ମୁଖୀନ ହୋଇଛନ୍ତି। କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଚାଷୀଙ୍କ ସହ ସମ୍ପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଆଯାଇଛି।

Related Articles

Back to top button