ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସୋନପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି  ।  ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ ନିଜର ଇଷ୍ଟ ଦେବୀଙ୍କୁ ନେଇ ଲଗ୍ନ ସ୍ଥିର ହୋଇଥାଏ  ।  ସୁବର୍ଣ୍ଣପୁର ଗଡଜାତ ସହ ପଂଚରା ଅଂଚଳ ପାଇଁ ଏବର୍ଷ ପଣ୍ଡିତ ମହାସଭା ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ବସି ଆଗାମୀ ନୂଆଁଖାଇ ଲଗ୍ନ ସ୍ଥିର କରିଛନ୍ତି ପଣ୍ଡିତ ରାଜେନ୍ଦ୍ର ମହାପାତ୍ର । ରାଜା ରାଜୁଡ଼ା ଅମଳରୁ ପାରମ୍ପାରିକ ବିଧି ବିଧାନରେ ନିର୍ଦ୍ଧାରିତ ହୋଇ ଆସୁଛି ଏହି ନୂଆଁଖାଇ ଲଗ୍ନ । ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖ ଗୁରୁବାର ଦିନ ଘ.୧୦.୦୭ମି. ରୁ ଘ.୧୦.୨୧ମି. ମଧ୍ୟେ ତୁଳା ଲଗ୍ନରେ ନୂଆଁଖାଇ ଲଗ୍ନ ସ୍ଥିର ହୋଇଛି । ସେହିପରି ସକାଳ ୮ ଟା ୨୦ ମିରୁ ୯ ଟା ୨୦ ମି ମଧ୍ୟେ ମା ସୁରେଶ୍ୱରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ ।

କାହିଁ କେତେ ଦିନରୁ ପୁରୁଣା ସୋନପୁର ଗଡ଼ଜାତ ରାଜ୍ୟର ନୁଆଖାଇ ପାଇଁ ଏହି ଲଗ୍ନ ପରମ୍ପରା ଚାଲିଆସିଛି ଆଜିଯାଏଁ । ପ୍ରତିବର୍ଷ ସୋନପୁରର ଜଗନ୍ନାଥ ମନ୍ଦିର ପରିସରର ମୁକ୍ତି ମଣ୍ଡପରେ ବସି ଲଗ୍ନ ନିର୍ଦ୍ଧାରଣ କରନ୍ତି ପଣ୍ଡିତମାନେ । ସୋନପୁରର ଇଷ୍ଟଦେବୀ ସୁରେଶ୍ୱରୀଙ୍କୁ ନେଇ ଜ୍ୟୋତିଷି ଶାସ୍ତ୍ର ଅନୁସାରେ ଗଣନା କରାଯାଏ ତିଥି ଓ ସମୟ । ପଣ୍ଡିତମାନଙ୍କର ନିର୍ଦ୍ଧାରିତ ସମୟରେ ମାଁ ସୁରେଶ୍ୱରୀଙ୍କ ପାଖରେ ନୂଆଁ ଲାଗିସାରିବା ପରେ ନିଜ ନିଜ ଘରେ ଥିବା ଦେବତାଙ୍କୁ ପୂଜା କରାଯାଇ ନୂଆଁ ଖିଆ ଯାଇଥାଏ ।

ଏହି ଲଗ୍ନକୁ ନେଇ ସାରା ସୋନପୁର ଗଡ଼ଜାତ ଅଂଚଳରେ ନୂଆଁଖାଇ ହୋଇଥାଏ । ସୁବର୍ଣ୍ଣପୁର ପୌର ପରିଷଦ ତରଫରୁ ସ୍ୱତନ୍ତ୍ର ଭାବେ ଗଳି ଗଳି ଡ଼େଙ୍ଗୁରା ଦେଇ ଘୋଷଣା କରାଯାଏ ଏହି ଲଗ୍ନ । ସୋନପୁର ସହର ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ଅଂଚଳକୁ ମଧ୍ୟ ଲଗ୍ନ ଜଣାଇ ଦିଆଯାଇଥାଏ । ପୁର୍ବରୁ ରାଜା ଏହି ଲଗ୍ନ ଧାର୍ଯ୍ୟ କରୁଥିବାବେଳେ ଏବେ ଏହା ସୁବର୍ଣ୍ଣପୁର ପୌର ପରିଷଦକୁ ଦାୟିତ୍ୱ ଦିଆଯାଇଛି ।

Related Articles

Back to top button