ରାଜ୍ୟର ପ୍ରତି ଜିଲ୍ଲାରେ ସୃଷ୍ଟି ହେବ ‘ଲ୍ୟାଣ୍ଡ ବ୍ୟାଙ୍କ’
ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକଳ୍ପ ପାଇଁ ଅନେକ ସମୟରେ ସରକାରଙ୍କୁ ଲୋକଙ୍କ ଠାରୁ ଘରୋଇ ଜମି କିଣିବାକୁ ପଡ଼ିଥାଏ । ତେବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ଭୂ-ବ୍ୟାଙ୍କ (ଲ୍ୟାଣ୍ଡ ବ୍ୟାଙ୍କ) ସୃଷ୍ଟି କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ବିଭାଗ ପକ୍ଷରୁ ଜାରି ସଂକଳ୍ପରେ କୁହାଯାଇଛି, ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଭୂ-ବ୍ୟାଙ୍କ ସୃଷ୍ଟି କରାଯିବା ସହ ଯେଉଁ ସରକାରୀ ଜମିର ଅବକ୍ଷୟ ହେଉଥିବ ତାହାକୁ ଭୂ-ବ୍ୟାଙ୍କରେ ଜମା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବନୀକରଣ ପ୍ରକଳ୍ପ କ୍ଷେତ୍ରରେ ଏହି ଭୂ-ବ୍ୟାଙ୍କର ଜମି ବ୍ୟବହୃତ ହୋଇ ପାରିବ । ଏଥିସହିତ ଜଙ୍ଗଲ (ସଂରକ୍ଷଣ ଅଧିନିୟମ – ୧୯୮୦ ଅନୁସାରେ ଜଙ୍ଗଲ ଜମିକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବା ନିଷ୍ପତ୍ତି ନିଆଯିବା ସମୟରେ କ୍ଷତିପୂରଣ ସ୍ୱରୂପ ଚାରାରୋପଣ କରାଯିବ । ଏହି ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇ ପାରିବେ ।
ଏନେଇ ଗତ ୨୦୦୯ ମସିହାରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ୧୯୯୮ରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଭୂ-ବ୍ୟାଙ୍କ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୧ରେ ଜଙ୍ଗଲ ଓ ରାଜସ୍ୱ ବିଭାଗ ମିଳିତ ଭାବେ ବୃକ୍ଷରୋପଣ ଲାଗି ୧୦ ହଜାର ହେକ୍ଟର ଜମି ଚିହ୍ନଟ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଜଙ୍ଗଲ କ୍ଷତିପୂରଣ ଲକ୍ଷ୍ୟରେ ରାଜ୍ୟ ସରକାର ଜଙ୍ଗଲ ବିଭାଗ ଅଧିନରେ ଏକ ଭୂ-ବ୍ୟାଙ୍କ ସୃଷ୍ଟି କରିବେ । ଏହି ଲ୍ୟାଣ୍ଡର ସର୍ବନିମ୍ନ ଆକାର ୨୫ ହେକ୍ଟର ହେବ । ଭୂ-ବ୍ୟାଙ୍କ ଭାରତୀୟ ଜଙ୍ଗଲ ଅଧିନରେ ରହିଥିଲେ କିମ୍ବା ହିଂସ୍ର ଜନ୍ତୁଙ୍କ କରିଡର ହୋଇଥିଲେ ତା’ର ଆକାର ଉପରେ କୌଣସି ସୀମା ପ୍ରତିବନ୍ଧକ ରହିବ ନାହିଁ । ସବୁ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।