ଆସୁଛି ଦୁଇଟି ଲଘୁଚାପ: ଆସନ୍ତା ୫ ତାରିଖରୁ ରାଜ୍ୟରେ ବଢିବ ବର୍ଷା, ଏକା ସାଙ୍ଗରେ ଆସୁଛି ଦୁଇ ଦୁଇଟି ଲଘୁଚାପ

ଭୁବନେଶ୍ଵର: ଆସୁଛି ୨ଟି ଲଘୁଚାପ  ।  ୫ରୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସ଼ମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଥମ ଲଘୁଚାପଟି ଆସନ୍ତା ୮ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ। ଦ୍ବିତୀୟ ଲଘୁଚାପ ସେପ୍ଟେମ୍ବର ୯ ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ତାରିଖରୁ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି।ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେଥିପାଇଁ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଚଳିତ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଦେଶରେ ସ୍ୱାଭାବିକଠାରୁ ଅଧିକ ରହିପାରେ । ଓଡ଼ିଶାରେ ସ୍ୱାଭାବିକ ବର୍ଷା ସମ୍ଭାବନା ଅଛି ଏଇ ମାସରେ । ସମ୍ଭାବ୍ୟ ଚିତ୍ରରେ ଯାହା ଦର୍ଶାଯାଇଛି, ସେଥିରୁ ଅନୁମାନ କରାଯାଉଛି, ରାଜ୍ୟରେ ବର୍ଷା ଭଲ ରହିବ । ତଥାପି ଝାଡ଼ଖଣ୍ଡ ପାଶ୍ୱର୍ବର୍ତ୍ତୀ ଓଡ଼ିଶାର କିଛି ଉତ୍ତର ପଶ୍ଚିମ ଅଞ୍ଚଳରେ ବର୍ଷା କମ୍‌ ରହିପାରେ । ସେହିସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ଅଧିକ ରହିପାରେ । ଆଇଏମଡି ଆହୁରି ଅନୁମାନ କରିଛି, ଆସନ୍ତା ୭ ତାରିଖବେଳକୁ ଲଘୁଚାପ ହୋଇପାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ । ଏବେ ବଡ଼ ବର୍ଷା ନାହିଁ । ଯାହା ହେବ, ଘଡ଼ଘଡ଼ି ସହ ବର୍ଷା ଠାଏଠାଏ ହୋଇପାରେ । ୨ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩ରେ ଦକ୍ଷିଣ ଆଭ୍ୟନ୍ତରୀଣ ସମେତ କେତେକ ଜାଗାରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ୪ ଓ ୫ରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ତା’ପରେ ଲଘୁଚାପ ଯୋଗୁ ପାଗ ବଦଳିପାରେ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୬ ତାରିଖବେଳକୁ ବିଶାଖାପାଟଣା ନିକଟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ୪ରୁ ରାଜ୍ୟରେ ପାଗ ବଦଳିବ । ୪ରୁ ୭ ତାରିଖ ଭିତରେ କିଛି ବର୍ଷା ହେବ । ଉପକୂଳରେ ହାଲୁକାରୁ ସ୍ୱଳ୍ପ (ମୋଟ ହାରାହାରି ୪୦ ମିଲିମିଟର) ଓ ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ଅଧିକ (୪୦ରୁ ୬୦ ମିମି), ପଶ୍ଚିମରେ ସର୍ବାଧିକ ହାରାହାରି ୮୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପୁଣି ୯ ତାରିଖରୁ ଖରା ବଢ଼ିବ । ତେବେ ୧୩ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଭାରି ବର୍ଷା ସମ୍ଭାବନା ଅଛି ରାଜ୍ୟରେ ।

ବନ୍ୟା ପରେ ମୌସୁମୀ ଦୁର୍ବଳ । ମୌସୁମୀ ଟ୍ରଫ ଯାଇ ଉତ୍ତର ଭାରତ ଉପରେ ରହିଛି । ରାଜ୍ୟରେ ବର୍ଷା ନାହିଁ । ଚାଇଁଚାଇଁ ଖରା । ସକାଳୁ ସନ୍ଧ୍ୟା ସାଢ଼େ ୫ ଯାଏଁ ନିସ୍ତାର ମିଳୁନି । ଭୀଷଣ ଗୁଳୁଗୁଳି । ରାତିରେ ବି ତ୍ରାହି ନାହିଁ । ଅଧା ଓଡ଼ିଶା ଗରମରେ ଏମିତି ସନ୍ତୁଳି ହେଉଛି । ୧୪ ସହରରେ ପାରଦ ୩୫ ଡିଗ୍ରୀ ସେଲସିୟସ୍‌ ଉପରେ । ଗୁରୁବାର ସନ୍ଧ୍ୟା ୫ଟା ୪୫ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରଖର କୋପ ଏମିତି ଥିଲା ଯେ ପଶ୍ଚିମ ଦିଗକୁ ଚାହିଁ ଗାଡ଼ିମୋଟର ଚଳାଇବା କଷ୍ଟକର ହୋଇପଡ଼ିଥିଲା ।

ଖାଲି ସେତିକି ନୁହେଁ, ରାଜ୍ୟବ୍ୟାପୀ ଖରା ବଢ଼ିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଇଛି । ଭୁବନେଶ୍ୱରରେ ଦିନର ସର୍ବାଧିକ ଆର୍ଦ୍ରତା ୭୯% ରହୁଥିବାବେଳେ କଟକରେ ୬୯%, ଭବାନୀପାଟଣୋରେ ୯୫%, ବଲାଙ୍ଗିରରେ ୮୬%, ମାଲକାନଗିରିରେ ୯୩%, ଭଦ୍ରକରେ ୮୫%, ଚାନ୍ଦବାଲିରେ ୭୦% ରହିଛି । ପ୍ରାୟତଃ ଆର୍ଦ୍ରତା ୭୦% ଉପରେ ଅଛି । ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।

ତାପମାତ୍ରା ଯେତିକି ରହୁଛି, ତା’ଠାରୁ ୪-୫ ଡିଗ୍ରୀ ଅଧିକ ଅନୁଭୂତ ହେଉଛି । ତେଣୁ ଭୁବନେଶ୍ୱର ଓ କଟକରେ ଆଜି ୪୦ ଡିଗ୍ରୀ ଭଳି ଗରମ ଅନୁଭୂତ ହୋଇଥିଲା । ବଡ଼ କଥା ହେଲା, ୮/୧୦ ଦିନ ତଳେ ବନ୍ୟାରେ ଅଧା ଓଡ଼ିଶା ବୁଡ଼ିଥିବାବେଳେ ଏବେ ବର୍ଷା ଅଭାବରୁ ସିଝୁଛନ୍ତି । ଏମିତିକି ୮ ଦିନ ଯେଉଁ ମହାନଦୀ, କାଠଯୋଡ଼ି, କୁଆଖାଇ ଫୁଲି ଉଛୁଳୁଥିଲା, ସେଥିରେ ଅନେକ ଜାଗାରେ ପାଣି ଶୁଖିଗଲାଣି । ଏମିତିକି ଅନେକ ନଦୀ ଶୁଖି ପୁଣି ବାଲି ଦିଶିଲାଣି ।

Related Articles

Back to top button