
ଏଲପିଜି ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୨ ବଖରା ଘର, ୧୫ ଗୁରୁତର
ଆଠଗଡ଼: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପଦାମାଳ ଗାଁରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଫାଟି ୧୫ ଜଣ ଗୁରୁତର। ଦଣ୍ଡଧର ସାହୁଙ୍କ ଘରେ ରୋଷେଇ ହେବା ବେଳେ ଏପରି ଦୁର୍ଘଟଣା ହୋଇଛି। ଗୁରୁତରଙ୍କୁ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଉଛି। ଖବର ଅନୁସାରେ, ପଦାମାଳ ଗାଁ ମାଳିସାହିର ଦଣ୍ଡଧର ସାହୁଙ୍କ ସ୍ତ୍ରୀ ଜହ୍ନ ସାହୁ ରୋଷେଇ କରୁଥିଲେ। ରୋଷେଇ କଲା ବେଳେ ଗ୍ୟାସ ଟାଙ୍କି ଲିକ ହେବାରୁ ଜହ୍ନ ଡାକ ପକାଇଥିଲେ। ଗାଁର ଅନ୍ୟମାନେ ଯାଇ ଗ୍ୟାସ ଟାଙ୍କି ଲିକ ହୋଇଥିବା ଦେଖିବା ବେଳେ ସିଲିଣ୍ଡର ବିସ୍ଫୋଣରେ ୧୫ ଜଣ ଆହତ ହୋଇଛନ୍ତି।
ଗ୍ୟାସ ଟାଙ୍କି ଫାଟି ଦୁଇ ବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଛି। ବାଲିଝରି ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ପ୍ରଥମେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି। କାନ ପୁର ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।