ନୀଳଗିରିରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଦର୍ଶନ କଲେ ହଜାର ହଜାର ଭକ୍ତ

ରୀତିନୀତି ଅନୁସାରେ ରବିବାର ରଥଟଣା ହୋଇ ଅଧାରାସ୍ତାରେ ତିନି ଠାକୁର ଅଟକି ରାତ୍ରଯାପନ ପରେ ସୋମବାର ଜଗନ୍ନାଥ ମନ୍ଦିରରେ ପହଞ୍ଚିବେ

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ତିନି ଠାକୁର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପାଇଁ ରଥାରୂଢ ହୋଇଛନ୍ତି । ଜନ୍ମବେଦୀରେ କିଛି ଦିନ ରହିବା ପରେ ଭକ୍ତଙ୍କୁ ଦଶ ଅବତାର ଦର୍ଶନ ଦେଇଥିଲେ ମହାପ୍ରଭୁ। ବାହୁଡା ଯାତ୍ରା ପାଇଁ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ପୂଜା ଅନୁଷ୍ଠିତ ହୋଇଥିଲା। ପରେ ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଆଳତୀ କରିବା ପରେ ସୁଦର୍ଶନଙ୍କୁ ରଥ ଉପରକୁ ନିଆଯାଇଥିଲା। ଏହାପରେ ବଳଭଦ୍ର ମହାପ୍ରଭୁ ମନ୍ଦିରରୁ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ସୁଭଦ୍ରା ରଥକୁ ବିଜେ ହେବା ପରେ ଜଗନ୍ନାଥ ମହାପ୍ରଭୁ ମନ୍ଦିରରୁ ବାହାରି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ। ତିନି ଠାକୁରଙ୍କୁ ନୀଳଗିରି ରାଜା ଛେରାପହଁରା କରି ରଥ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

ରୀତିନୀତି ଅନୁସାରେ ରବିବାର ରଥଟଣା ହୋଇ ଅଧାରାସ୍ତାରେ ତିନି ଠାକୁର ଅଟକି ରାତ୍ରଯାପନ ପରେ ସୋମବାର ଜଗନ୍ନାଥ ମନ୍ଦିରରେ ପହଞ୍ଚିବେ। ସେହି ଦିନ ଲକ୍ଷ୍ମୀ ନାରାୟଣଙ୍କ ଭେଟ ପରେ ମହାପ୍ରଭୁ ରସଗୋଲା ଭୋଗ ଲଗାଇ ଲକ୍ଷ୍ମୀଙ୍କୁ ମନାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବେ। ବାହୁଡା ଯାତ୍ରାର ପହଣ୍ଡି ନୀତିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

Related Articles

Back to top button