ସ୍କୁଲରେ ହେବ ‘ଗଣିତ ମେଳା’ର ଆୟୋଜନ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ‘ଗଣିତ ମେଳା’ର ଆୟୋଜନ କରିବେ। ଏଥିପାଇଁ ମୋ ସ୍କୁଲ ଅଭିଯାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଗଣିତ ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ରହିଛି।

ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମୋ ସ୍କୁଲ ଅଭିଯାନ’ର ୩୫ତମ କାର୍ଯ୍ୟକାରୀ ପରିଷଦ ବୈଠକ ପରେ ସ୍କୁଲ ଓ ଗଣଶିକ୍ଷା (ଏସଏମଇ) ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏପରି ମେଳା ଗଣିତ ଶିକ୍ଷକଙ୍କ ଦକ୍ଷତା ବିକାଶରେ ମଧ୍ୟ ସହାୟକ ହେବ। ନିକଟ ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ପାଇଁ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଗୋଟିଏ ପ୍ରକାର ବିଜ୍ଞାନଭିତିକ ସଚେତନତା ସୃଷ୍ଟି କରିବା ପାଇଁ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଓଡ଼ିଶା ବିଜ୍ଞାନ ଏକାଡେମୀ ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ କର୍ମଶାଳା ଏବଂ ପ୍ରଶିକ୍ଷଣ ଅଧିବେଶନ ମଧ୍ୟ ଆୟୋଜନ କରାଯାଉଛି ଏବଂ ନିୟମିତ ବ୍ୟବଧାନରେ ଶିକ୍ଷାଦାନ କରାଯାଉଛି।

Related Articles

Back to top button