ଓଡ଼ିଶା ଆଇଟି ପଲିସି-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଆଇଟି ପଲିସି-୨୦୨୨ରେ ଅନେକ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ଓଡ଼ିଶା ଆଇଟି ପଲିସି-୨୦୨୨କୁ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ମୋବାଇଲ ଟାୱାର ଅପଟିକାଲ ଫାଇବର କେବୁଲ୍ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଇଟି ପଲିସି-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଓଡ଼ିଶାକୁ ଦେଶର ଆଇଟି କ୍ଷେତ୍ର ପାଇଁ ପୁଞ୍ଜିନିବେଶର ଅଗ୍ରଣୀ ସ୍ଥଳୀ ଭାବେ ପରିଣତ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଇଟି ଆଉଟସୋର୍ସିିଂରେ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ହେଉଛି ଏହି ଆଇଟି ପଲିସିର ମୁଖ୍ୟ ଲକ୍ଷ୍ୟ । ଏଥିରେ ଆଇଟି ପାର୍କ ନିମନ୍ତେ ସ୍ଥାୟୀ ପୁଞ୍ଜିନିବେଶର ୨୫%(ସର୍ବାଧିକ ୨୦କୋଟି ଟଙ୍କା) ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଗ୍ରୀନଫିଲଡ ଆଇଟି ପାର୍କଗୁଡ଼ିକ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟ ଶତପ୍ରତିଶତ ଛାଡ଼ କରାଯିବ । ଭିତ୍ତିଭୂମିରେ ସ୍ଥାୟୀ ନିବେଶର ୩୦% (ସର୍ବାଧିକ ୩କୋଟି ଟଙ୍କା ପର୍ଯ୍ୟନ୍ତ) ଯୋଗ୍ୟ ଆଇଟି ସଂସ୍ଥାଗୁଡ଼ିକୁ ରିହାତି ଯୋଗାଇ ଦିଆଯିବ । ଯେଉଁ ଆଇଟି ଶିଳ୍ପଦ୍ୟୋଗେୀ ଦୀର୍ଘମିଆଦି ସୂତ୍ରରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଋଣ କରି ଠିକ୍ ସମୟରେ ପରିଶୋଧ କରୁଥିବେ ସେମାନଙ୍କର ଋଣ ଉପରେ ବାର୍ଷିକ ୫% ସୁଧ ରିହାତି ଓ ସର୍ବାଧିକ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ପ୍ରଦାନ କରାଯିବ । ଆଇଟି ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ ୫ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲର ୩୦% (ସର୍ବାଧିକ ୩୫ଲକ୍ଷ ଟଙ୍କା) ରିହାତି ମିଳିବ । ଯେଉଁ ଆଇଟି ସଂସ୍ଥାମାନେ ଭଡ଼ାଘରେ ନୂଆକରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତିମାସରେ ବର୍ଗଫୁଟ ପିଛା ୨୦ଟଙ୍କା ହିସାବରେ ସହାୟତା ଦିଆଯିବ । ଯାହା ସେମାନଙ୍କର ପ୍ରକୃତ ଭଡ଼ାର ୭୫%ରୁ ଅଧିକ ହେବନି । ସେହିପରି ମହିଳା, ଭିନ୍ନକ୍ଷମ, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀଙ୍କୁ (ସର୍ବାଧିକ ୫ଲକ୍ଷ ଟଙ୍କା) ଅତିରିକ୍ତ ୨୫% ସହାୟତା ଦିଆଯିବ । ଉଦ୍ୟୋଗୀମାନେ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଓ ଦ୍ୱିତୀୟ ଥର ପାଇଁ ୫୦% ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ ପାଇଁ ହେଉଥିବା ଖର୍ଚ୍ଚର ୧୦୦% ପ୍ରତିଶତ ପ୍ରୋତ୍ସାହନ ଆକାରରେ ଯୋଗାଇ ଦିଆଯିବ । ବିଡିଏ ଅଂଚଳରେ ବ୍ୟବସାୟ ସ୍ଥାପନ କରିଥିବା ଆଇଟି କମ୍ପାନୀଗୁଡ଼ିକୁ ୫ବର୍ଷ ପାଇଁ ଶତପ୍ରତିଶତ ନେଟ୍ ଜିଏସଟିକୁ ଭରଣା କରାଯିବ।

Related Articles

Back to top button