ରାଜ୍ୟରେ ଖସୁଛି ପାରଦ , ଧୀରେ ଧୀରେ ବଢୁଛି ଶୀତ

ରାଜ୍ୟରୁ ମୌମୁସୀ ବିଦାୟ ନେଇଥିଲାବେଳେ ଏବେ ଶୀତର ହାଲ୍‌କା ସ୍ପର୍ଶ ରାଜ୍ୟବାସୀ ଅନୁଭବ କରିବା ଆରମ୍ଭ କଲେଣି। ସ୍କୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ଆଉ ଶୀତ ଦିନରେ ନିଜକୁ ଫିଟ ରଖିବା ପାଇଁ ସକାଳୁ ସକାଳୁ ସହର ଯୁବକ ଏବଂ ବୟସ୍କ ମାନେ ରାସ୍ତାରେ ଓ ଖାଲି ପଡିଆରେ ବାୟାମ କରୁଥିବା ଦେଖିବାକୁ ମିଳିଲାଣି ।

ତେବେ ରାଜ୍ୟରେ ହାଲକା ଶୀତ ଅନୁଭୂତ ହେଉଥିବା ବେଳେ ଗତକାଲି ରାତିରେ ବିଭିନ୍ନ ସ୍ଥାନର ତାପମାତ୍ରା ୧୯ ଡିଗ୍ରି ତଳକୁ ଖସିଥିବା ଦେଖିବାକୁ ମିଳିଥିଲା। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଦାରିଙ୍ଗବାଡ଼ିରେ ୧୬ ଡିଗ୍ରି, ଫୁଲବାଣୀରେ ୧୬.୫ ଡିଗ୍ରି, ନବରଙ୍ଗପୁରରେ ୧୭.୪ ଡିଗ୍ରି, ସୁନ୍ଦରଗଡ଼ରେ ୧୮ ଡିଗ୍ରି, ରାଉରକେଲାରେ ୧୮.୨ ଡିଗ୍ରି, ଅନୁଗୁଳରେ ୧୮.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୧୮.୮ ଡିଗ୍ରି ସର୍ବନିମ୍ନ ରାତି ତାପମାତ୍ରା ଅନୁଭୂତ ହୋଇଛି। ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଉଭୟ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଶିଂକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ସବୁ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତ ଅନୁଭୂତ ହେଉଛି ।

Related Articles

Back to top button