ଭୁବନେଶ୍ୱରରେ ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳାର ନୂଆଦିଲ୍ଲୀ ଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ସହ ଆୟୋଜିତ ଏ ସମ୍ପର୍କିତ ଏକ ବୈଠକରେ ଆଲୋଚନା ହୋଇଥିବା ନେଇ ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣରେ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ନାଇଜର ୧୭ ଏକର ପରିମିତ ଜମି ପ୍ରଦାନ କରି ସାରିଥିବା ବେଳେ ଅତିରିକ୍ତ ୧୦ ଏକର ପରିମିତ ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇ ଦେବ ।

ଏହି କ୍ୟାନସର ହସ୍ପିଟାଲକୁ ଟାଟା ଟ୍ରଷ୍ଟ ନିର୍ମାଣ କରିବା ପରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ । ହସ୍ପିଟାଲ ନିର୍ମାଣ ସହ କ୍ୟାମ୍ପସ ପରିସରରେ କର୍ମଚାରୀଙ୍କ ପାଇଁ ବାସଗୃହ, ରୋଗୀଙ୍କ ପାଇଁ ଧର୍ମଶାଳା, ହଷ୍ଟେଲ ନିର୍ମାଣ କରାଯିବ । ଆଗାମୀ ୩ ବର୍ଷ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗୀୟ ମନ୍ତ୍ରଣାଳୟ ତରଫରୁ ଏକ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Related Articles

Back to top button