ଫେରିଯିବ ମୌସୁମୀ , ଆସନ୍ତା 5 ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ ।

ଫେରିଯିବ ମୌସୁମୀ । ଶୁଖିଲା ରହିବ ପାଗ । ଆସନ୍ତା 5 ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ । ତାପମାତ୍ରା ବୃଦ୍ଧି ସହ ପାଗ ଶୁଖିଲା ରହିବ । ଆକାଶ ନିର୍ମଳ ରହିବା ଯୋଗୁଁ ଖରାର ପ୍ରକୋପ ଅଧିକ ରହିବ ।

ଦିନର ସର୍ବୋଚ୍ଚ ତାପମାତ୍ରା 33 ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା 25 ଡିଗ୍ରି ମଧ୍ୟରେ ରହିବ । ଆସନ୍ତା 15 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବା ତା’ଠାରୁ ଟିକେ ଅଧିକ ବର୍ଷା ‌ହୋଇପାରେ । ଆଜି ଓ କାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ 7 ତାରିଖରୁ ସାରା ଓଡ଼ିଶାରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । କାଲି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକା ବର୍ଷା ହେବ । ୭ ତାରିଖରୁ ବର୍ଷାର ପରିମାଣ କମିବା ସହ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ ।

ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଫଳରେ ଆସନ୍ତା 9 ତାରିଖରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୁଳ ହୋଇଛି । ଚଳିତ ବର୍ଷ ଜୁନ୍ 22 ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

8 ଦିନ ବିଳମ୍ବରେ ଆସିଥିଲେ ମଧ୍ୟ 5 ଦିନ ପୂର୍ବରୁ ଫେରିଯିବା ନେଇ ଆକଳନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି । ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର 15 ଥିବା ବେଳେ 5 ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।

Related Articles

Back to top button