ଏଣିକି ନବଜାତ ଶିଶୁଙ୍କ ଗୋଡ଼ରେ ଲାଗିବ ଟ୍ୟାଗ

ଏଣିକି ନବଜାତ ଶିଶୁଙ୍କ ଗୋଡ଼ରେ ଲାଗିବ ଟ୍ୟାଗ । ଜନ୍ମ ହେବା ମାତ୍ରେ ରଖାଯିବ ଫୁଟ ପ୍ରିଣ୍ଟ । କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ପୁଅ କିମ୍ବା ଝିଅ ହୋଇଛି ସେ ନେଇ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ ଆଟେଣ୍ଡାଣ୍ଟ । ଫଳରେ ଆଉ ଭୁଲ ଖବର ଯିବ ନାହିଁ । କେବଳ ସେତିକି ନୁହେଁ ଲେବର ରୁମରେ ଛୁଆ ଜନ୍ମ ପରେ ପ୍ରଥମେ ମାଆକୁ କୁହାଯାଏ, ଏହାପରେ ଖାତାରେ ମଧ୍ୟ ଉଲ୍ଲେଖ କରାଯାଏ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ ।

ସୂଚନା ଥାଉକି କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ନେଇ ଅଭିଯୋଗ ଆସିଥିଲା । ଏହାପରେ ଡିଏନଏ ଟେଷ୍ଟ କରାଯିବା ପରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା । ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଜଣେ ବ୍ୟକ୍ତିଙ୍କ ଯୋଗୁ ହସ୍ପିଟାଲ ବଦନାମ ହେଲା,ପୋଲିସଠୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା । ଏଭଳି କାର୍ଯ୍ୟ କରି ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ନବଜାତଙ୍କ ବାପା ପ୍ରାଣକୃଷ୍ଣ ବିଶ୍ୱାଳ କହିଛନ୍ତି, ସେ କ୍ୟାପିଟାଲ ହସ୍ପିଟାଲ ବିରୋଧରେ ମାନହାନି ମାମଲା କରିବେ । ହସ୍ପିଟାଲର ଭୁଲ ତଥ୍ୟ ଯୋଗୁ ତାଙ୍କ ସମୟ ବରବାଦ ହୋଇଛି । ଅନେକ ଦିନ ହେବ ସେ ହଇରାଣ ହୋଇଥିବାରୁ ମାମଲା କରିବେ ବୋଲି କହିଛନ୍ତି ।

Related Articles

Back to top button