
ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ଲେଖାଯିବ ନାମଫଳକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଦୁଇଦିନ ପରେ ନୂଆବର୍ଷ ୨୦୨୩ ପାଦ ଥାପିବ। ତେବେ ଏହି ଅବସରରେ ରାଜ୍ୟରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ନୂଆ ବର୍ଷରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖାଯିବ। ଆସନ୍ତା ଏକ ମାସ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହେବ। ଏନେଇ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି।
ତେବେ ଆସନ୍ତା ୩୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ନାମଫଳକ ଲେଖାଯିବ। ପ୍ରାଦେଶିକ ଭାଷାର ସମ୍ମାନ ଓ ଗୌରବକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହାର କାର୍ଯ୍ୟକାରିତା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯିବା ଦରକାର । ପୂର୍ବରୁ ଏନେଇ ଅନେକ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମେ ମାସରେ ଶାସନ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖାଯାଇଥିଲା। ତିନି ସପ୍ତାହ ମଧ୍ୟରେ ତା’ର ଉତ୍ତର ପ୍ରଦାନ କରିବାକୁ କୁହାଯାଇଥିଲା। ଏ ବାବଦରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ, ସରକାରୀ ଓ ଘରୋଇ କଲେଜର ଅଧ୍ୟକ୍ଷଙ୍କୁ ମଧ୍ୟ ସୂଚିତ କରାଯାଇଥିଲା। ଗତ ୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମିଳିଥିଲେ ହେଁ ଅନେକ ଶିକ୍ଷାନୁଷ୍ଠାନରେ ଆଜି ବି ଓଡ଼ିଆରେ ନାମଫଳକ ଲାଗି ନଥିବା ଦେଖାଯାଉଛି। ରାଜ୍ୟ ସରକାର ଏହାକୁ ଲଗାଇବା ବାଧ୍ୟତାମୂଳକ କରିଥିଲେ ହେଁ ତାହା କାର୍ଯ୍ୟକାରୀ ହେଉ ନାହିଁ ।