ନୂଆବର୍ଷ ଲାଗି ଲୋକାରଣ୍ୟ ପୁରୀ ସହର: ପର୍ଯ୍ୟଟକଙ୍କ ନିରାପତ୍ତା ପାଇଁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ନୂଆବର୍ଷ ଆରମ୍ଭ ହେବାକୁ ଥିବାରୁ ଛୁଟି କଟାଇବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ସମଗ୍ର ସହର ଏବେ ଲୋକାରଣ୍ୟ ହୋଇ ଉଠିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଶ୍ରୀମନ୍ଦିର, ବେଳାଭୂମି ସମେତ ଚିଲିକା ଓ କୋଣାର୍କ ଆଦି ବୁଲି ଦେଖିବା ପାଇଁ ଭିଡ ଜମାଇଛନ୍ତି । ଚଳିତ ବର୍ଷ ନୂଆବର୍ଷ ପାଳନ ଲାଗି ପୁରୀରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

ପୁରୀରେ ରହିବା ଲାଗି ହୋଟେଲ ଓ ଧର୍ମଶାଳାରେ କୋଠରୀର ଅଭାବ ଦେଖାଦେଇଛି । ଅଧିକାଂଶ କୋଠରୀ ସବୁ ଅଗ୍ରୀମ ବୁକିଂ ହୋଇ ଯାଇଥିବାରୁ ପୁରୀରେ ରହିବା ଲାଗି ସ୍ଥାନ ନପାଇ ବହୁ ପର୍ଯ୍ୟଟକ ଭୁବନେଶ୍ୱର ଫେରି ଯାଉଥିବା ପରିଲକ୍ଷିତ ହୋଇଛି । ଦୂରଦୁରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ସମୁଦ୍ର ବେଳାଭୂମିର ମଜା ନେଉଛନ୍ତି । ବେଳାଭୂମିରେ ଜଳକ୍ରୀଡା, ବ୍ଲୁଫ୍ଲାଗ୍‍ ବିଚର ମନୋରମ ପରିବେଶ, ସ୍ୱର୍ଗଦ୍ୱାର ବେଳାଭୂମିରେ ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ ବାଲୁକା କଳା ପ୍ରଦର୍ଶନ ଓ ଘୋଡା ଓ ଓଟର ସବାରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ପେଣ୍ଠପଟା ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୭ କି.ମି ପରିବ୍ୟାପ୍ତ ଅଞ୍ଚଳରେ ପର୍ଯ୍ୟଟକମାନେ ସମୁଦ୍ରର ନୃତ୍ୟରତ ଜଳରାଶୀକୁ ଉପଭୋଗ କରୁଛନ୍ତି । ପର୍ଯ୍ୟଟକଙ୍କ ଆଗମନକୁ ଲକ୍ଷ୍ୟ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବଡଦାଣ୍ଡ ଓ ସମୁଦ୍ର କୂଳରେ ସ୍ୱତନ୍ତ୍ର ଟ୍ରାଫିକ୍‍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରରେ ଥିବା ହୋଟେଲ ଗୁଡିକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ କିସମର ସୁସ୍ୱାଦୁ ଖାଦ୍ୟପେୟର ଆୟୋଜନ କରାଯାଇଛି । ନୂଆବର୍ଷ ଅବସରରେ ପର୍ଯ୍ୟଟକମାନଙ୍କ ନିରାପତ୍ତା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଏସ୍‍ପି କେ.ବିଶାଲ ସିଂହ ଆକାଶବାଣୀକୁ କହିଛନ୍ତି ।

Related Articles

Back to top button