ଓଡ଼ିଶାର ୬ଟି ନୂଆ ଜାଗାରେ ‘ପ୍ରକୃତି ଶିବିର’: ପ୍ରାକୃତିକ ପରିବେଶରେ ରାତ୍ରିଯାପନର ମଜା ନେଉଛନ୍ତି ପର୍ଯ୍ୟଟକ
ଭୁବନେଶ୍ବର: ସହରୀ ସଭ୍ୟତାର ଚାକଚକ୍ୟରୁ ଟିକେ ଦୂରେଇ ଯାଇ ପ୍ରକୃତି କୋଳରେ ସମୟ ଅତିବାହିତ କରିବାକୁ ଲୋକମାନେ ଏବେ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ଲୋକଙ୍କ ଏହି ଭ୍ରମଣ ଆଗ୍ରହକୁ ମେଣ୍ଟାଇବା ପାଇଁ ‘ପ୍ରକୃତି ଶିବିର’(ନେଚର୍ କ୍ୟାମ୍ପ୍) ପ୍ରକୃଷ୍ଟ ମାଧ୍ୟମ ପାଲଟିଛି। ବନ ବିଭାଗ ପକ୍ଷରୁ ଓଡ଼ିଶାର ୧୮ଟି ଜିଲ୍ଲାରେ ଏବେ ୪୭ଟି ନେଚର କ୍ୟାମ୍ପ କାର୍ଯ୍ୟକ୍ଷମ ହୋଇଛି। ଆଗକୁ ଏହି ତାଲିକାରେ ଆଉ ୬ଟି ନାମ ଯୋଡ଼ି ହେବାକୁ ଯାଉଛି। ସେଗୁଡ଼ିକ ହେଲା ଫୁଲବାଣୀ ସିରିକା ଇକୋ ପାର୍କ, ବଲଙ୍ଗୀର ଭିମଡୁଙ୍ଗୁରୀ, କଳାହାଣ୍ଡି ଫୁଲରୀଝରଣା ଜଳପ୍ରପାତ, ରବନ୍ଧର, ଢେଙ୍କାନାଳ ଚକୁରିଆ ଘାଟ ଏବଂ ବୌଦ୍ଧ ଡମ୍ବୁରଗଡ଼। ଏଠାରେ ନେଚର୍ କ୍ୟାମ୍ପ୍ କାମ ଚାଲୁ ରହିଛି। ଖୁବ୍ଶୀଘ୍ର ତାହା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଗତ ପାଞ୍ଚ ବର୍ଷ ହେଲା ‘ପ୍ରକୃତି ଶିବିର’ ଆରମ୍ଭ କରାଯାଇଛି। ଏଠାରେ ଲୋକମାନେ ସବୁଜିମାଭରା ପ୍ରାକୃତିକ ପରିବେଶ ତଥା ଗ୍ରାମ୍ୟ ଜୀବନର ଅନୁଭୂତି ସାଉଁଟୁଛନ୍ତି। ଓଡ଼ିଶା ସମେତ ରାଜ୍ୟ ତଥା ଦେଶ ବାହାରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନ ପରିଭ୍ରମଣ କରି ପ୍ରକୃତିର ଭରପୂର ମଜା ଉଠାଉଛନ୍ତି। ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖାରେ ବୃଦ୍ଧି ଘଟୁଛି। କରୋନା ମହାମାରୀ ସମୟରେ ସମସ୍ତ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରକୃତି ଶିବିର ଉପରେ କୌଣସି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି। ଏହି ଶିବିରଗୁଡ଼ିକ ଲୋକମାନଙ୍କୁ ବୁଲିବାର ମଜା ଦେବା ସହ ସ୍ଥାନୀୟ ଲୋକମାନଙ୍କୁ ଜୀବିକା ଯୋଗାଇ ଦେଇଛି। ସ୍ଥାନୀୟ ଅଞ୍ଚଳରେ କିଛି ଲୋକଙ୍କୁ ନେଇ ଗୋଷ୍ଠୀ ଗଠନ କରାଯାଇଛି। ସେମାନେ ଏହାର ରକ୍ଷଣାବେକ୍ଷଣା ଏବଂ ପରିଚାଳନା କରୁଛନ୍ତି।
ସୂଚନା ଅନୁସାରେ, ୪୭ଟି ପ୍ରକୃତି ଶିବିରରେ ୩୭୨ କୋଠରୀ ଥିବାବେଳେ ୭୮୧ ଲୋକଙ୍କ ରହଣୀ ପାଇଁ ବ୍ୟବସ୍ଥା ରହିଛି। ଏଠାରେ ଲୋକମାନେ ପ୍ରାକୃତିକ ସବୁଜିମା ସହିତ ବୋଟିଂ, ଜଙ୍ଗଲ ସଫାରୀ, ଟ୍ରେକିଂ, ସାଇକେଲିଂ, ସ୍ପୋଷ୍ଟର୍ସ, ବାଡିଂ, ଜଙ୍ଗଲୀ ଜୀବଜନ୍ତୁ, ଷ୍ଟାର ଗେଜିଂ, ଲୋକନୃତ୍ୟ, ସାଂସ୍କୃତିକ ଭ୍ରମଣ, ଆଦିବାସୀ ଭ୍ରମଣ, ଝରଣା, ଫାର୍ମ ହାଉସର ମଜା ନେଇପାରିବେ। ସେହିଭଳି ପର୍ଯ୍ୟଟକମାନଙ୍କ ପାଇଁ ୧୨ଟି ସ୍ଥାନରେ ନୌକାବିହାର ସୁବିଧା ରହିଛି। ଚନ୍ଦକା ଡେରାସ, ହୀରାକୁଦ, ସାତକୋଶିଆ ଆଦି ବିଭିନ୍ନ ସ୍ଥାନରେ ଏହି ସୁବିଧା ରହିଛି। ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରିରହଣୀ, ଖାଦ୍ୟପେୟ, ଆମୋଦପ୍ରମୋଦର ବ୍ୟବସ୍ଥା ରହିଛି। ଶାଳୁଆପଲ୍ଲୀ ପ୍ରକୃତି ଶିବିରରେ ଗୋଟିଏ ଦିନ ପାଇଁ ସର୍ବନିମ୍ନ ୨୪୭୬ଟଙ୍କା ଥିବାବେଳେ ଶିମିଳିପାଳରେ ସର୍ବାଧିକ ୭୪୨୮ଟଙ୍କା ରହିଛି। ସେହିଭଳି ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ପୃଥକ ପୃଥକ ବ୍ୟବସ୍ଥା ରହିଛି।
ଏହି ସବୁ ଶିବିରକୁ ପରିଚାଳନା କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ନେଇ ‘ଇକୋ ଟୁରିଜିମ୍ ଡେଭଲପମେଣ୍ଟ୍ କମିଟି’ ଗଠନ କରାଯାଇଛି। ୪୭ ଶିବିରରେ ୬୩୨ ଜଣ ଗୋଷ୍ଠୀ ସଦସ୍ୟ କାମ କରୁଛନ୍ତି। ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ୨୦୧୬ରୁ ୨୦୨୨ ଭିତରେ ୧ଲକ୍ଷ ୬୦ହଜାର ୬୫୩ ପର୍ଯ୍ୟଟକ ଆସିଥିବା ବେଳେ ୨୫କୋଟି ୭୫ଲକ୍ଷ ୨୭ହଜାର ଟଙ୍କା ଆୟ ହୋଇଥିବା ଜଣାପଡ଼ିଛି। ସେହିଭଳି ଏହି ଆର୍ଥିକ ବର୍ଷ ଗୁଡ଼ିକରେ ସରକାର ତାଙ୍କ ବଜେଟ୍ରେ ପାଖାପାଖି ୫୪କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ କରିଛନ୍ତି। ଏଥିରୁ ଆଦାୟ ହେଉଥିବା ଅର୍ଥରୁ ୩୫ପ୍ରତିଶତ ଅର୍ଥ କାମ କରୁଥିବା ଗୋଷ୍ଠୀ ସଦସ୍ୟ ପାରିଶ୍ରମିକ ବାବଦରେ ନେଉଥିବାବେଳେ ୨୫ପ୍ରତିଶତ ଅର୍ଥ ପର୍ଯ୍ୟଟକମାନଙ୍କ ଖାଦ୍ୟପେୟ, ବିଜୁଳି ବିଲ୍ ଆଦି ପୈଠରେ ଖର୍ଚ୍ଚ ହେଉଛି। ସେହିଭଳି ଭିତ୍ତିଭୂମିର ବିକାଶ କରିବା ପାଇଁ ୧୦ପ୍ରତିଶତ ଅର୍ଥ ବ୍ୟୟ କରା ଯାଉଥିବାବେଳେ ଗ୍ରାମ୍ୟ ପରିବେଶର ଭିତ୍ତିଭୂମି କରିବା ପାଇଁ ୧୦ପ୍ରତିଶତ ଏବଂ ସରକାରଙ୍କ ଟିକସ ବାବଦକୁ ୧୦ ପ୍ରତିଶତ ଦିଆଯାଉଛି।
ସେହିଭଳି ଏହି ସ୍ଥାନ ଗୁଡ଼ିକୁ ବିଶେଷକରି ସର୍ବାଧିକ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଆସୁଛନ୍ତି। ଓଡ଼ିଶାରୁ ୧୦ ପ୍ରତିଶତ ଲୋକ ଯାଉଥିବାବେଳେ ବିଦେଶୀ ୧୦ ପ୍ରତିଶତ ଏବଂ ପଶ୍ଚିମବଙ୍ଗରୁ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟଟକ ଏହି ପ୍ରାକୃତିକ ଶିବିର ଗୁଡ଼ିକର ଭରପୂର