ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ବଞ୍ଚିତ ହୋଇ ଅସନ୍ତୋଷ ବ୍ୟକ୍ତ କଲେ ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ଶୁକ୍ରବାର ବଞ୍ଚିତ ହୋଇଛନ୍ତି ସହସ୍ରାଧିକ ଶ୍ରଦ୍ଧାଳୁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆଳରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିଦିଆଯିବାରୁ ଭକ୍ତମାନେ ପ୍ରଶାସନକୁ ସମାଲୋଚନା କରିଛନ୍ତି।

ପ୍ରଥମେ ଭୋର ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ ଲାଗି ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହି ଅନୁଯାୟୀ ଦର୍ଶନ ଚାଲଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପରେ ଅଧିକ ଦୁଇଘଣ୍ଟା ସମୟ ବୃଦ୍ଧି କରାଯାଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ଚାଲିଲା। ବ୍ୟାରିକେଡ୍‌ରେ ଥିବା ଭକ୍ତମାନେ ଆଡ଼ପମଣ୍ଡପରେ ଦାରୁଦିଅଁଙ୍କ ଦର୍ଶନ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ। ୨ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ଧାଡ଼ି ଦର୍ଶନର ସୁବିଧା ପାଇଥିଲେ। ଏହାପରେ ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ଶ୍ରୀଗୁଣ୍ଡିଚା ସିଂହଦ୍ୱାରକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ବ୍ୟାରିକେଡ୍‌ ବାହାରେ ଆପେକ୍ଷା କରିଥିବା ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିଛି। ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ନିରାଶରେ ଫେରିଛନ୍ତି।

Related Articles

Back to top button