ନବୀନ ନିବାସରେ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟାହ୍ନ ଭୋଜନରେ ପରସାଗଲା ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଏମ୍‌ପି ଓ ବିଧାୟକମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ନେଇ ଆଲୋଚନା କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ପରେ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ କିଛି ସମୟ ବିଶ୍ରାମ କରିବା ପରେ ବିଧାନସଭାର ସମ୍ମିଳନୀ କକ୍ଷରେ ଏବଂ ପରେ ସେ ରାଜ୍ୟ ଅତିଥି ଭବନରେ ଭାଜପା ବିଧାୟକ ଓ ଏମ୍‌ପିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମଧ୍ୟାହ୍ନରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୩୦ ମିନିଟ ଆଲୋଚନା କରିଛନ୍ତି।

ଫେରିଯିବା ପୂର୍ବରୁ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ମଧ୍ୟାହ୍ନଭୋଜନରେ ଭାତ, ଡାଲି, ଆଳୁଚକଟା, ବଡ଼ିଚୂରା, ବାଇଗଣ ଭଜା ଆଦି ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରିଛନ୍ତି । ମଧ୍ୟାହ୍ନଭୋଜନରେ ଶୁଦ୍ଧ ଶାକାହାର ଓ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଥିଲା ବୋଲି ଜଣାପଡ଼ିଛି । ଦ୍ରୌପଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ନବୀନ ନିବାସ ଯାଇଥିଲେ ।

ବିଜେଡି ସୁପ୍ରିମୋଙ୍କ ସହ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ଓ କେନ୍ଦ୍ରମନ୍ତ୍ରୀ ଶେଖାୱତଙ୍କ ସମେତ ପୁରୀ ବିଜେଡି ଏମ୍‌ପି ପିନାକୀ ମିଶ୍ର ମଧ୍ୟ ମଧ୍ୟାହ୍ନଭୋଜନ କରିଥିଲେ । ମୁର୍ମୁ ନବୀନ ନିବାସରୁ ସିଧାସଳଖ ବିମାନବନ୍ଦର ଯାଇଥିଲେ ଓ ସ୍ବତନ୍ତ୍ର ବିମାନରେ ଲକ୍ଷ୍ନୌ ଅଭିମୁଖେ ଯାଇଥିବା ସୂଚନା ମିଳିଛି।

Related Articles

Back to top button