ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଚିଲିକାକୁ ଯିବା ନେଇ କଟକଣା

ବାଲୁଗାଁ : ଚିଲିକାରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଚିଲିକାକୁ ଯିବାନେଇ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ରବିବାର ବାଲୁଗାଁ ଉଚ୍ଚବିଦ୍ୟାଳୟ ପରିସରରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଚିଲିକାରେ ଯାତ୍ରୀ ପରିବହନ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଏବଂ ଏହାର ନିରାକରଣ ଦିଗରେ ଉପସ୍ଥିତ ସମସ୍ତ ଅତିଥିଙ୍କଠାରୁ ଗଠନମୂଳକ ମତାମତ ଲୋଡ଼ାଯାଇଥିଲା। ପ୍ରଶାସନ ପକ୍ଷରୁ ଏଦିଗରେ ବିଚାରବିମର୍ଷ କରାଯାଇ ପରିଶେଷରେ ଯାତ୍ରୀ ସୁରକ୍ଷା ତଥା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ୧୫ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଗୃହୀତ ହୋଇଥିଲା। ବିଶେଷକରି, ପ୍ରତିକୂଳ ପାଗ ଏବଂ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ପର୍ଯ୍ୟଟକଙ୍କୁ ନେଇ ଚିଲିକାରେ ଡଙ୍ଗା ପ୍ରବେଶକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଏଣିକି ପ୍ରତ୍ୟେକ ଡଙ୍ଗା ୧୦ଜଣ ଯାତ୍ରୀ ଏବଂ ୨ଜଣ ଡଙ୍ଗା ଚାଳକଙ୍କୁ ନେଇ ଯାତ୍ରା କରିବେ। ଅପରାହ୍ନ ୪ଘଟିକା ପରେ କୌଣସି ଡଙ୍ଗା ଚିଲିକା ମଧ୍ୟକୁ ଯାତ୍ରୀ ନେଇ ଭ୍ରମଣରେ ଯାଇପାରିବ ନାହିଁ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ତଥା ସଂଧ୍ୟା ୬ଘଟିକା ମଧ୍ୟରେ ଚିଲିକା କୂଳରେ ଡଙ୍ଗା ପହ‌ଞ୍ଚିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି।

Related Articles

Back to top button