ଜୁଲାଇ ୨ରୁ ବିଧାନସଭା ଅଧିବେଶନ, ୨୦୨୨-୨୩ ବର୍ଷ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

ଜୁନ ୨୯ ତାରିଖରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏଥିରେ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ଏହି ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ୨୯ରେ ବୈଠକ ଡାକିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ନବନିର୍ବାଚିତ ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି, ଆଗାମୀ ଅଧିବେଶନକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ ଆବଶ୍ୟକ । ଏଥିପାଇଁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ।

ଆଗାମୀ ଅଧିବେଶନ କୋଭିଡ କଟକଣାରେ ଚାଲିବ କି ନାହିଁ, ତାହା ସବୁଠୁ ବଡ଼ ପ୍ରଶ୍ନ । ଲୋକସେବା ଭବନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରୁ କରୋନା କଟକଣା ପ୍ରତ୍ୟାହୃତ ହୋଇସାରିଛି । ମାତ୍ର ବିଧାନସଭାରେ ଏଯାଏଁ ତାହା ପ୍ରତ୍ୟାହାର ହୋଇନାହିଁ ।ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି, ବର୍ତ୍ତମାନ ପୁଣି ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଧୀରେଧୀରେ କରୋନା ସଂକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି । ଏଭଳି ସ୍ଥିତିରେ କୋଭିଡ କଟକଣାରେ ବିଧାନସଭା ଚାଲିବ କିମ୍ବା କଟକଣା ପ୍ରତ୍ୟାହାର କରାଯିବ, ସେ ନେଇ ସର୍ବଦଳୀୟ ବୈଠକରେ ସ୍ଥିର କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚରେ କରୋନା ମହାମାରୀ ଆସିବା ପରଠାରୁ ବିଧାନସଭା ଅଧିବେଶନ କରୋନା କଟକଣା ମଧ୍ୟରେ ଚାଲିଛି । ବିଧାନସଭା ଗୃହ ମଧ୍ୟରେ ବିଧାୟକମାନେ ସାମାଜିକ ଦୂରତା ମାନି ପରସ୍ପରଠାରୁ ଦୂରେଇ ବସୁଥିବାବେଳେ ଅନେକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବି ସାମିଲ ହେଉଛନ୍ତି । ଦର୍ଶକ ଗ୍ୟାଲେରିରେ କିଛି ବିଧାୟକ ବସି ଗୃହ କାର୍ଯ୍ୟରେ ଭାଗ ନେଉଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ କରୋନା ଆସିବା ପରଠାରୁ ବିଧାନସଭା ଗୃହର ପ୍ରେସ ଗ୍ୟାଲେରି ମାଡ଼ିନାହାନ୍ତି ।

ସେମାନଙ୍କ ପାଇଁ ସମ୍ମିଳନୀ କକ୍ଷରେ ଲାଇଭ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ସାମ୍ବାଦିକମାନେ ଗୋଟିଏ ହଲ୍‌ ଭିତରେ ବସି ଏଲଇଡି ସ୍କ୍ରିନରେ ଗୃହ କାର୍ଯ୍ୟ ଦେଖୁଛନ୍ତି । ମାତ୍ର ଗୃହ ଭିତରର ସମ୍ପୂର୍ଣ୍ଣ ଚିତ୍ର ଗୋଟିଏ ସମୟରେ ଦେଖିବା ସହଜ ହେଉନାହିଁ । କିଏ ଉପସ୍ଥିତ ଅଛି, କିଏ ଅନୁପସ୍ଥିତ ଅଛନ୍ତି, ତାହା ଜାଣି ହୋଇନଥାଏ । ଖାଲି ସେତିକି ନୁହେଁ ଗୃହରେ ନାରାବାଜି ବି ଶୁଣି ହୁଏନି ଏଭଳି ସ୍କ୍ରିନରୁ ।

ସଚିବାଳୟକୁ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିଥିଲେ ମଧ୍ୟ ବିଧାନସଭା ପ୍ରେସ ଗ୍ୟାଲେରିଙ୍କୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳୁନାହିଁ । ଷ୍ଟାଡିୟମରେ ହଜାର ହଜାର ଦର୍ଶକଙ୍କୁ ନେଇ ଖେଳ ଆୟୋଜନ ହେଉଥିବାବେଳେ ବିଧାନସଭା ଅଧିବେଶନରେ କରୋନା କଟକଣା ବଳବତ୍ତର ରହିଛି । ବିଧାନସଭାରୁ କରୋନା କଟକଣା ହଟାଇ ପୂର୍ବଭଳି ସ୍ଥିତି ଫେରାଇ ଆଣିବାକୁ ଦାବି ହେଉଛି।

Related Articles

Back to top button