୩ରଥରେ ଉଠିଲା ୧୨ ଦୁଆରଘଡ଼ା, ସିଂହାସନ କାମ ଚାଲିଛି

ପୁରୀ: ଜୋରଦାର ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ନିର୍ମାଣକାରୀମାନେ ତିନି ରଥର ଦୁଆରଘଡ଼ା ଉଠାଇଛନ୍ତି । ମହାପ୍ରଭୁ ଅମାପ ଶକ୍ତି ଦେଇଛନ୍ତି ରଥ ନିର୍ମାଣକାରୀଙ୍କ ଶରୀରରେ । ଭୋଇ ସେବକମାନେ ମିଳିତ ଭାବେ ୩ରଥକୁ ୧୨ଦୁଆର ଘଡ଼ା ଉଠାଇଥିଲେ । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ବାଉଁଶ ତେଣ୍ଟିଆ ଓ ଦଉଡ଼ି ସାହାଯ୍ୟରେ ଦୁଆର ଘଡ଼ା ଉଠାଇଥିଲେ । ଦୁଆରଘଡ଼ା ଉଠାଇ ସାରି ହରିବୋଲ ଧ୍ୱନି ଦେଇଥିଲେ ଭୋଇସେବକ । ସେପଟେ ରଥଖଳାରେ ଠାକୁରଙ୍କ ସିଂହାସନ କାମ ଆଗେଇଛି । ଗୁରୁବାର ରଥଚାଳି ଖୋଲା ଆରମ୍ଭ ହୋଇଛି । ପ୍ରଭା କାମ ଚାଲୁଥିବାରୁ ଅଧା ଖୋଲିଛି ।

ଠାକୁରଙ୍କ ଅବସ୍ଥାନ ପାଇଁ ଚକା(ସିଂହାସନ ପିଣ୍ଡି) ତିଆରି ସରିଛି । ଏପଟେ ପ୍ରଭା କାମ ଚାଲିଛି । ଶ୍ରୀଜଗନ୍ନାଥଙ୍କ ପ୍ରଭାର ଆକାର ସବୁଠାରୁ ବଡ଼ । ବଳଭଦ୍ରଙ୍କ ତା’ଠାରୁ ଛୋଟ ଓ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ସବୁଠାରୁ ଛୋଟ ପ୍ରଭା । ଠାକୁରଙ୍କ ଆସ୍ଥାନ ହେଉଛି ୪ସ୍ତରୀୟ । ପଟା ଉପରେ ସିଂହାସନ ତିଆରି ହେବ । ତା’ଉପରେ ରହିବ ବେଦି । ବେଦି ଉପରେ ରହିବ ଚକା । ପ୍ରଭା ପଛରେ ରହିବ ଧୂଳିଦଣ୍ଡା । ପ୍ରଭାରେ ଶ୍ରୀବିଗ୍ରହ ରୁନ୍ଧା ହେବେ । ରଥରେ ସିଂହାସନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥରେ ସଖୀ ପଟା ଫିଟିଂ କରାଯାଇଛି। ଆଗକୁ ଠେକରା ବାଡ, ପାଶ୍ୱର୍ଦେବଦେବୀ, ଓଲଟଶୁଆ, କଳସ ଆଦି ବିଭିନ୍ନ ଅଂଶ ଲାଗିବ ।

ବିଶ୍ୱକର୍ମାମାନେ ପ୍ରଭା କାମ ସାରି ରୂପକାରଙ୍କୁ ଦେଇଛନ୍ତି । ଏଥିରେ ରୂପକାର କୀର୍ତ୍ତିମୁଖ ଓ ଡାଳିଲତା ଖୋଦେଇ କରୁଛନ୍ତି । ପ୍ରଭା ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି ଅବସ୍ଥାନ କରିବେ । ଠାକୁରେ ଚକା ସିଂହାସନରେ ବିଜେ ହେବେ । ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି ।

ରଥରେ ସଖୀ, କନ୍ୟାପଟା, ଅଶ୍ୱ, ପାର୍ଶ୍ୱ ଦେବାଦେବୀଙ୍କୁ ରଙ୍ଗ ଦେଇ ଜୀବନ୍ତ କରୁଛନ୍ତି । ଦୋଳବେଦିରେ କମାର ସେବକ କାର୍ଯ୍ୟ ବ୍ୟସ୍ତ । ରଥକୁ ଯାହା ଲୁହା ସାମଗ୍ରୀ ଆବଶ୍ୟକ ସେସବୁ ତିଆରି ଯୋଗାଇ ଦେଉଛନ୍ତି ।ଦର୍ଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କନାମଣ୍ଡଣି କାର୍ଯ୍ୟରେ ନିମଗ୍ନ । ବିଶ୍ୱକର୍ମା, ଭୋଇସେବକ, କରତୀସେବକ, ଓଝା ସେବକ, ରୂପକାର ଆଦି ସେବକଙ୍କ ମଧ୍ୟରେ ସମନ୍ୱୟ ରଖାଯାଇ କାର୍ଯ୍ୟ ଆଗେଉଛି

Related Articles

Back to top button