ହକି ବିଶ୍ୱକପ: ରାଉରକେଲା ଏୟାରପୋର୍ଟ କାମ ସାରିବାକୁ କେନ୍ଦ୍ର ସଚିବଙ୍କୁ ସିଏସଙ୍କ ଚିଠି

ଭୁବନେଶ୍ବର: ମୁଣ୍ଡ ଉପରେ ହକି ବିଶ୍ୱକପ। ଆସନ୍ତା ବର୍ଷ ଜାନୁଆରୀ 13ରୁ ହକି ଗଡ ସୁନ୍ଦରଗଡରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସହ ରାଉରକେଲାରେ ଆୟୋଜନ ହେବ ବିଶ୍ୱକପର ମ୍ୟାଚ୍‌। ବିଶ୍ଵକପ ପାଇଁ ଦେଶ ଓ ବିଦେଶରୁ ଆସିବେ ଦର୍ଶକ ଓ ପର୍ଯ୍ୟଟକ ହେଲେ ଅଧାପାନ୍ତରିଆ ହୋଇଛି ରାଉରକେଲା ବିମାନ ବନ୍ଦର। ତୁରନ୍ତ ଏ ନେଇ ପଦକ୍ଷେପ ନେବା ସହ କାମ ସାରିବାକୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ସରକାର। ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ଇସ୍ପାତ ମନ୍ତ୍ରାଳୟର ସଚିବ ସଞ୍ଜୟ କୁମାର ସିଂହଙ୍କୁ ଚିଠି ଲେଖିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚିଠିରେ ଦର୍ଶାଇଛନ୍ତି ଯେ, ”ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ । ଜାନୁଆରୀ ମାସରେ ଭୁବନେଶ୍ୱର ସମେତ ରାଉରକେଲା ବିର୍ସାମୁଣ୍ଡ ଷ୍ଟାଡିୟମରେ ଆୟୋଜନ ହେବ ବିଶ୍ୱକପ ମ୍ୟାଚ୍‌ । ରାଉରକେଲା ବିମାନବନ୍ଦର କାର୍ଯ୍ୟ ଉଡାଣ ଯୋଜନାରେ SAIL ଏହାର ବିକାଶ କରୁଛି । SAIL ଓ AAI ମଧ୍ୟରେ ଏନେଇ 2018ରେ MoU ହୋଇଛି । 2022 ଅକ୍ଟୋବର ମାସ ସୁଦ୍ଧା କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଥିଲା କିନ୍ତୁ ଏହା ବିଳମ୍ବ ହେବାରେ ଲାଗିଛି । ଯଥାଶୀଘ୍ର କାମ ଶେଷ କରାଯାଉ ।’

ବିଶ୍ୱକପ ସମୟରେ ପରିବହନ କ୍ଷେତ୍ରରେ ରାଉରକେଲା ଏୟାରପୋର୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରୁଷ ହକି ବିଶ୍ୱକପ ପାଇଁ ଏହାର ବଡ ଭୂମିକା ରହିବ । ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଅନୁରୋଧ କରିଛନ୍ତି । ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ବିଶ୍ବକପର ସଫଳ ଆୟୋଜନ ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା ସୁରେଶ ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି ।

ପ୍ରକାଶ ଥାଉ କି, 2023 ଜାନୁଆରୀ 23ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ବକପ ପାଇଁ ଦଳକୁ 4ଟି ପୁଲ୍‌ରେ ଭାଗ କରାଯାଇଛି । ଭାରତ ପୁଲ ଡିରେ ରହିଛି । ରାଉରକେଲାରୁ ଭାରତ ତାର ଅଭିଯାନ ଆରମ୍ଭ କରିବ । ସ୍ପେନକୁ ଭେଟିବ ଭାରତ । ବିର୍ସାମୁଣ୍ଡା ଷ୍ଟାଡିମୟର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Related Articles

Back to top button