ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ କଂଗ୍ରେସରେ ଆରମ୍ଭ ହୋଇଛି ଆକ୍ସନ । ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ସତ୍ତ୍ୱେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କାହିଁକି ମୁର୍ମୁଙ୍କୁ ଭୋଟ୍ ଦେଲେ ? ପୁଣି ଭୋଟ୍ ଦେବା ପରେ ଗଣମାଧ୍ୟମରେ ଆଗରେ ଖୋଲାଖୋଲି ସମର୍ଥନ ଦେଇଥିବା ଘୋଷଣା କଲେ ? ଏହାକୁ ନେଇ ବ୍ୟତିବ୍ୟସ୍ତ ପିସିସି ସଭାପତି, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି । ୨ ସପ୍ତାହ ଭିତରେ ଜବାବ ଦେବାକୁ ମୋକିମଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ ।

ଗତ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟିଂ ହୋଇଥିଲା । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ନଦେଇ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ । ଏହାପରେ ମୋକିମ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ‘ବିବେକ ଅନୁସାରେ ମୁଁ ମାଟିର ଝିଅକୁ ଭୋଟ୍ ଦେଇଛି ।’ ଯାହାକୁ ନେଇ କଂଗ୍ରେସ ଶିବିରରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମୋକିମ୍ ମୁର୍ମୁଙ୍କୁ ଭୋଟ୍ ଦେବା ନେଇ ପିସିସି ସଭାପତି ଦଳର ହାଇକମାଣ୍ଡଙ୍କୁ ସୂଚନା ଦେଇଥିଲେ ।

Related Articles

Back to top button