ଦୁବାଇରେ ଓଡିଶା ଇନଭେଷ୍ଟର୍ସ ମିଟ, ଘୁମୁରା ଓ ବଜାଶାଲ ପରି ଲୋକବାଦ୍ୟ ବାଜିବ

ରୋମ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଗସ୍ତରେ ଅଛନ୍ତି । ଆଜି ଦୁବାଇରେ ଇନଭେଷ୍ଟର୍ସ ମିଟ୍ । ଦୁବାଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ ତାରିଖରେ ଦୁବାଇରେ ପହଞ୍ଚିସାରିଛନ୍ତି।

ଫିକି ସହଯୋଗରେ ଆୟୋଜନ କରାଯାଉଥିବା ଏହି ଇନ୍ ଭେଷ୍ଟର୍ସ ମିଟ୍ ରେ ନିଜେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କରାଇବେ। ବିଶେଷ କରି ରାଜ୍ୟର ଯେଉଁ ୬ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇଛି ସେଥିରେ ପୁଞ୍ଜିନିବେଶ କରିବା ଲାଗି ସେ ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ।

ସେହି କ୍ଷେତ୍ରଗୁଡ଼ିକ ହେଉଛି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନ୍ ଷ୍ଟ୍ରିମ୍ ଆଣ୍ଡ୍ ଆନ୍ସିଲାରି, ଇଏସ୍ ଡିଏମ୍-ଆଇଟି ଓ ଆଇଟିଇଏସ୍, ଅଟୋ ଓ ଅଟୋ ଯନ୍ତ୍ରାଂଶ। ଏହା ବ୍ୟତୀତ ରାଜ୍ୟର ପ୍ରମୁଖ କ୍ଷେତ୍ର ଯଥା ଖଣି, ଖଣିଜ, ଧାତବ ଓ ମାନୁଫାକ୍ଚରିଂ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବାକୁ ମଧ୍ୟ ଏହି ସମ୍ମିଳନୀରେ ଉଦ୍ୟମ କରାଯିବ।

ଦୁବାଇର ଦି ଓବରଏର ବିଜ୍ ନେସ୍ ବେ’ରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ୍ ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଓ ଇପିକଲ୍ ର କିଛି ବରିଷ୍ଠ ପଦାଧିକାରୀରେ ଦୁବାଇରେ ପହଞ୍ଚିସାରିଛନ୍ତି।

ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା କିମ୍ବା ସ୍ଥାପନ କରିବାକୁ ଯାଉଥିବା ବହୁ ଶିଳ୍ପ ସଂସ୍ଥା ଦୁବାଇ ଗସ୍ତ କରିଛନ୍ତି। ସେହି କମ୍ପାନିଗୁଡ଼ିକ ମଧ୍ୟରେ ରହିଛନ୍ତି ବେଦାନ୍ତ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍, ଇମ୍ଫା, ରୁଚି ମସଲା, ଡିଏନ୍ ଗ୍ରୁପ୍, ଟାଟା ଷ୍ଟିଲ୍, ଟାଟା ଷ୍ଟିଲ୍ ଏସ୍ଇଜେଡ୍, ପାରାଦୀପ ଫସଫେଟ୍ ଲିମିଟେଡ୍ ଓ ଇଣ୍ଡିଆନ ଅଏଲ୍।

ଆଜି ୨୯ ତାରିଖରେ ମଧ୍ୟ-ପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ବଡ଼ ସେକ୍ଟର ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଉପରେ ଫୋକସ ରହିବ ।

ଏହି ଅବସରରେ ହେବାକୁ ଥିବା ଅନ୍ତର୍ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନରେ କଳାହାଣ୍ଡି ଜିଲ୍ଲାର ଘୁମୁରା ଓ ବଜାଶାଳ ସେଠାରେ ପରିବେଷଣ ହେବାକୁ ଯାଉଛି । ସୋମବାର କଳାହାଣ୍ଡିର ଅଗ୍ରଣୀ ମହାବୀର ସାଂସ୍କୃତିକ ଅନୁଷ୍ଠାନର ୯ ଜଣ ପିଲା ଓ ୪ ଜଣ ଝିଅ ୧୩ ଜଣିଆ ଟିମ୍ ପ୍ରଦୀପ ସିଂହଙ୍କ ନେତୃତ୍ୱରେ ସୋମବାର ଦୁବାଇ ପାଇଁ ବାହାରିଛନ୍ତି ।

ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇବା ସହ ଘୁମୁରା ଓ ବଜାଶାଳ ସଂପର୍କରେ ସୂଚନା ଦେଇଥିଲେ । ଏତିହ୍ୟ ସଂପନ୍ନ ମାଣିକେଶ୍ୱରୀ ମାଟି କଳାହାଣ୍ଡିର ଘୁମୁରା ଦୁବାଇରେ କଳାହାଣ୍ଡିର ସଂସ୍କୃତିର ଝଲକ ଦେଖାଇବ ସହ ବଜାଶାଳ ଦୁବାଇକୁ ଦୁଲକାଇବ ବୋଲି ଅନୁଷ୍ଠାନର ସଂପାଦକ ସତ୍ୟ ସିଂହ କହିଛନ୍ତି ।

Related Articles

Back to top button