ଓଏନଜିସିର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ୪ ଜଣ ମୃତକଙ୍କ ମଧ୍ୟରେ ଜଣେ ମାଲକାନଗିରି ଜିଲ୍ଲାର

ମାଲକାନଗିରି: ମୁମ୍ବାଇ ଉପକୂଳ ଆରବ ସାଗରରେ ଓଏନଜିସିର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ସେହି ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ସତ୍ୟମ୍ବଦ ପାତ୍ର । ସତ୍ୟମ୍ବଦ ଓଏନଜିସି କମ୍ପାନୀରେ ଜିଓଲୋଜିଷ୍ଟ ଭାବେ ଚାକିରି କରୁଥିଲେ ।

ସତ୍ୟମ୍ବଦଙ୍କ ବାପା ସୁରେଶ ଚନ୍ଦ୍ର ପାତ୍ର ସମବାୟ ବିଭାଗରେ ଚାକିରି କରୁଥିବା ବେଳେ ମାଆ ସବିତା ସାହୁ ଜଣେ ଶିକ୍ଷୟତ୍ରୀ। ସତ୍ୟମ୍ବଦ ମାଲକାନଗିରି ଜିଲ୍ଲାରେ ପିଲାଟି ବେଳରୁ ପାଠ ପଢିଥିବା ବେଳେ ତାଙ୍କର ଉଚ୍ଚ ଶିକ୍ଷା ଓ ଯୋଗ୍ୟତା ଯୋଗୁଁ ସର୍ବ ଭାରତୀୟସ୍ତରରେ କୃତିତ୍ୱ ହାସଲ କରି ଓଏନଜିସି କମ୍ପାନୀର ମୁମ୍ବାଇ ଶାଖାରେ ଜିଓଲୋଜିଷ୍ଟ ଭାବେ ଚାକିରି ପାଇଥିଲେ ।

ଗତ ବର୍ଷ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ରହିଥିବା ଜଣାପଡିଛି । ହସ ଖୁସିରେ ଚାଲିଥିବା ସୁଖି ପରିବାରରେ ଏବେ ମାଡିଆସିଛି ଦୁଃଖର କଳାବାଦଲ । ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବୁଧବାର ସକାଳେ ସତ୍ୟମ୍ବଦ ପାତ୍ରଙ୍କ ମାଲକାନଗିରି ସ୍ଥିତ ବାସଭବନ ସମ୍ମୁଖରେ ମାଲକାନଗିରି ସହରବାସୀଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ସାହି ପଡିଶା, ସାଙ୍ଗ ସାଥି ଶିକ୍ଷକ ଶିକ୍ଷତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସତ୍ୟମ୍ବଦ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Related Articles

Back to top button