ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର: ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର । କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଭିଜିଲାନ୍ସ ଟିମ୍ ୫ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି । ସୂଚନା ମୁତାବକ ଭିଜିଲାନ୍ସ ପୀୟୂଷକାନ୍ତଙ୍କ ଯାଜପୁର ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଚଢ଼ାଉ ଜାରି ରଖିଛି । ଭୁବନେଶ୍ୱରର ଚକେଇଶିଆଣିରେ ଥିବା ତିନି ମହଲା କୋଠାରେ ଯାଞ୍ଚ କରୁଛି ଭିଜିଲାନ୍ସ । ଏଥି ସହିତ ଯାଜପୁରର ଚୋର୍ଦ୍ଦା ଛକରେ ଥିବା ଗୋଟିଏ ତିନି ମହଲା କୋଠା ଓ ଗୋଟିଏ ଦୁଇ ମହଲା କୋଠା ଘରେ ମଧ୍ୟ ଚଢ଼ାଉ କରାଯାଉଛି ।
କଟକର ଓଏମପି ଛକରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ କରୁଛି ବିଭାଗ । ସବୁଠାରୁ ବଡ଼ କଥା ହେଉଛି ଜିଏସଟିର ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କର ଭୁବନେଶ୍ୱରର ଆନ୍ଧାରୁଆରେ କେତେକ ପ୍ଲଟ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଭୁବନେଶ୍ବରର ଶାମପୁର ଓ ସୁନ୍ଦରପୁରରରେ ଗୋଟିଏ ଲେଖାଏଁ ପ୍ଲଟ ରହିଥିବା ଜଣାପଡ଼ିଛି । ଏହି ଚଢ଼ାଉରେ ଭିଜିଲାନ୍ସର ୫ଜଣ ଡିଏସପି, ୧୧ଜଣ ଇନିସପେକ୍ଟର ଓ କିଛି ଅଧିକାରୀ ନିୟୋଜିତ ଅଛନ୍ତି ।