ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଲେ ବାବୁସାନ

ଭୁବନେଶ୍ବର: ଓଲିଉଡ଼ ଅଭିନେତା ବାବୁସାନ, ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଉପୁଜିଥିବା ବିବାଦର ପ୍ରାୟ ଦେଢ଼ ମାସ ପରେ ବାବୁସାନ ଓ ତୃପ୍ତିଙ୍କ ଏକାଠି ଦେଖିବାକୁ ମିଳିଛି । ଦମନ ଫିଲ୍ମର ପ୍ରମୋସନ୍ ବେଳେ ଅସୁସ୍ଥ ହୋଇ ମେଡିକାଲରେ ବାବୁସାନ ଭର୍ତ୍ତି ହୋଇଥିବା ବେଳେ ଆଜି ପତ୍ନୀ ତୃପ୍ତି ମେଡିକାଲ ଯାଇ ବାବୁସାନଙ୍କୁ ଭେଟିଛନ୍ତି । ଏହାପରେ ବାବୁସାନ ଆଜି ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି ।

ବିଗତ ଜୁଲାଇ ମାସରେ ପ୍ରକୃତି-ବାବୁସାନ-ତୃପ୍ତି ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ଏହାପରେ ତୃପ୍ତି ନିଜ ଘରକୁ ଚାଲି ଯାଇଥିଲେ । ଏହାର ବିବାଦକୁ ନେଇ ବାବୁସାନ ସାମାଜିକ ଗଣମାଧ୍ୟମରେ ନିଜ ପରିବାର, ପତ୍ନୀ ଏବଂ ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ନ୍ୟାୟ ପାଇଁ ଖାରବେଳ ନଗର ଥାନାରେ ପ୍ରକୃତି ଏତଲା ଦାଖଲ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ସେ ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଏହି ଘଟଣାର ଯାଞ୍ଚ କରୁ ବୋଲି ହାଇକୋର୍ଟରେ ଆବେଦନ କରିଛନ୍ତି । ପ୍ରକୃତି ଦାଖଲ କରିଥିବା ମାମଲାରେ ଖାରବେଳ ନଗର ଥାନା IIC, ଭୁବନେଶ୍ବର DCP, DGP, ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ତେବେ ଏହି ବିବାଦ ଆରମ୍ଭରୁ ଅଲଗା ହୋଇ ରହିଥିବା ବାବୁସାନ ଓ ପତ୍ନୀ ତୃପ୍ତିଙ୍କୁ ଆଜି ଏକାଠି ଦେଖିବାକୁ ମିଳିଛି । ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଚିକତ୍ସିତ ହେଉଥିଲେ ଅଭିନେତା ବାବୁସାନ । ଦମନ ଫିଲ୍ମର ପ୍ରମୋସନ ପାଇଁ ଯାଇ ଅସୁସ୍ଥ ହୋଇଥିଲେ ବାବୁସାନ । ଅକ୍ସିଜେନ ସ୍ତର କମିବା ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ବାବୁସାନ୍ । ବାବୁସାନ ଡାକ୍ତରଖାନା ବେଡରେ ଶୋଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଦମନ ଫିଲ୍ମର ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ।

କିଛି ଦିନ ତଳେ ବାବୁସାନ ତାଙ୍କ ଫିଲ୍ମ ଦମନ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ ଚଳାଇବା ପରେ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଭୁବନେଶ୍ବର ଫେରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାୟ ୬ରୁ ୭ ଦିନ ହେଲା ବାବୁସାନ ଚିକିତ୍ସାଧୀନ ଥିଲେ ।

ତେବେ ଆଜି ମେଡିକାଲରେ ବାବୁସାନ ଓ ତୃପ୍ତିଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଚିକିତ୍ସା ପାଇଁ ବାବୁସାନଙ୍କୁ ତୃପ୍ତି ଡାକ୍ତରଙ୍କ ପାଖକୁ ନେଇକି ଯିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବାବୁସାନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ନେଇ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ଭିତରେ ସବୁକିଛି ଠିକ ଅଛି ବୋଲି କୁହାଯାଇପାରିବ ।

Related Articles

Back to top button