କଟକରେ ନକଲି ଔଷଧ କାରବାର ମାମଲା: ୨ ବିହାରୀ ଔଷଧ ବ୍ୟବସାୟୀ ଚିହ୍ନଟ

କଟକ: ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିଶନରେଟ ପୋଲିସ ଟିମକୁ ସଫଳତା । ଚିହ୍ନଟ ହେଲେ ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀ। ଏନେଇ ଶନିବାର ସୂଚନା ଦେଇଛନ୍ତି କଟକ ଡିସିପି । ଉତ୍ପାଦନ କେଉଁଠାରେ ହୋଇଥଲା ତାର ଯାଞ୍ଚ କରୁଛି କମିଶନରେଟ ପୋଲିସ ।

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, “ନକଲି ଔଷଧ କାରବାର ମାମଲାରେ ତଦନ୍ତ ଚାଲିଛି । ଆମ ଅଫିସର ସେଠାରେ ଅଛନ୍ତି । ଏବେ ମଧ୍ୟ ତଦନ୍ତ ଜାରି ରହିଛି । ଗୟା ପୋଲିସ ସହ ମିଶି ବିଭିନ୍ନ ସ୍ଥାନରେ ରେଡ କରାଯିବା ସହ ପଚରାଉଚରା କରାଯାଉଛି । ଏହି ଘଟଣାରେ ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁଠାରୁ ମେଡିସିନ ଆସିଥିଲା ଆମେ ସେଠାରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛୁ । ବର୍ତ୍ତମାନ ତଦନ୍ତ ଜାରି ରହିଛି ।”

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ (ସୋମବାର) କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା । ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜରି ରହିବ ବୋଲି କହିଥିଲେ କଟକ ଡିସିପି।

Related Articles

Back to top button