ମନ୍ଦିର ଦର୍ଶନ ପାଇଁ ଅନଲାଇନରେ ମିଳିବ ଟିକେଟ

ଭୁବନେଶ୍ୱର: ମନ୍ଦିର ଦର୍ଶନ ପାଇଁ  ଅନଲାଇନରେ ମିଳିବ ଟିକେଟ । ଓଡିଶାରେ ଭଗବାନଙ୍କର ଦର୍ଶନ ଲାଗି ଆଗ୍ରହ ରହିଥିବା ଭକ୍ତମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ଦେଶବିଦେଶର ଭକ୍ତ ମାନେ ମନ୍ଦିର ଦର୍ଶନ ସହ ପୂଜା ଓ ପ୍ରସାଦ ସେବନ ପାଇଁ ଅନଲାଇନ ପୋର୍ଟାଲ ମାଧ୍ୟମରେ ଆଗୁଆ ଟିକେଟ କରିପାରିବେ। ଦୂରଦୂରାନ୍ତରରୁ ଆସୁଥିବା ଭକ୍ତମାନଙ୍କୁ ଦୃଷ୍ଟିରେ ରଖି  ଓଡିଶା ସରକାର ଏଭଳି  ବ୍ୟବସ୍ଥା କରିବାକୁ ଯାଉଛନ୍ତି  ।

କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଭଳି ଓଡ଼ିଶାରେ ମଧ୍ୟ ଆରମ୍ଭ ହେବ ଇଣ୍ଟିଗ୍ରେଟେଟ ଟେମ୍ପୁଲ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମଏସ)। ଏଥି ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବାକୁ ଯାଉଛନ୍ତି । ଏନେଇ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଆଜି ସୂଚନା ଦେଇଛନ୍ତି ।

ଆଇନ୍ ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କୁ ଚିଠି ଲେଖାଯାଇଛି । ଆଇନ ବିଭାଗ, ସଂସ୍କୃତି ବିଭାଗ, ଦେବୋତ୍ତର କମିଶନ , ଏଏସଆଇ ପକ୍ଷରୁ ବୈଠକ ପରେ ଅନଲାଇନ ଟିକେଟ ବ୍ୟବସ୍ଥା ପାଇଁ  ସରକାର ପ୍ରସ୍ତୁତ ହେଉଛନ୍ତି । ଯେଉଁ ମନ୍ଦିର ଗୁଡିକ ପାଇଁ ଏହି ନିୟମ ଲାଗୁ କରାଯିବ ସେନେଇ ଖୁବଶୀଘ୍ର ଏକ ତାଲିକା ପ୍ରସ୍ତୁତ କରିବ ଦେବୋତ୍ତର କମିଶନ ।

ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ କେନ୍ଦୁଝର ର ଘଟଗାଁ ତାରିଣୀ, ଭଦ୍ରକ ର ଆରଡିର ଆଖଣ୍ଡଳମଣି ମନ୍ଦିରକୁ ସାମିଲ କରାଯାଇପାରେ  । ଏହା ପରେ ରାଜ୍ୟରେ ୧୫୦ଟି ମନ୍ଦିରକୁ ପର୍ଯ୍ୟାୟକ୍ରମେ ଏହି ପୋର୍ଟାଲରେ ସ୍ଥାନ ଦିଆଯିବ  । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ଏଥିରେ ସାମିଲ କରାଯିବନାହିଁ । ଏହି ପୋର୍ଟାଲରେ ସମସ୍ତ ମନ୍ଦିର ସମ୍ପର୍କରେ ସୂଚନା ଉପଲବ୍ଧ ରହିବ ବୋଲି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି।

Related Articles

Back to top button