କ୍ରୀଡ଼ା ଶିକ୍ଷକଙ୍କ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଫାସରେ କ୍ରୀଡ଼ା ଶିକ୍ଷକ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଥା ଜରଡ଼ା ଥାନା ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଶୁକ୍ରବାର ସକାଳେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ୪ଜଣ ଡିଏସ୍‌ପି, ୧୨ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍ ହୋଇଛନ୍ତି । ଗଞ୍ଜାମ ଜିଲାର ୧୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି ।

ବ୍ରହ୍ମପୁର ସହର ଅନନ୍ତନଗର ପ୍ରଥମ ଲେନରେ ତିନି ମହଲା ଘର, ଅନନ୍ତନଗର ତୃତୀୟ ଲେନରେ ଥିବା ଦୁଇ ମହଲା ଘର, ଜୟନ୍ତୀପୁର ଗାଁରେ ଥିବା ଦୁଇ ମହଲା ଘର, ଜୟନ୍ତୀପୁର ଗାଁରେ ଏକ ମହଲା ଘର, ଜୟନ୍ତୀପୁର ଗାଁରେ ଦୁଇ ମହଲା କୋଠା (ପୋଷ୍ଟ ଅଫିସ୍‌ ଭଡ଼ାରେ କାର୍ଯ୍ୟ କରୁଛି), ଜୟନ୍ତୀପୁର ଗାଁରେ ୪ଟି ଦୋକାନ, ଜୟନ୍ତୀପୁର ଠାରେ ଗୋଟିଏ ପେଟ୍ରୋଲ୍‌ ପମ୍ପ୍ (ପୁଅ ଅମିତ କୁମାରଙ୍କ ନାଁରେ ରହିଛି), ବଳରାମପୁର ଗାଁରେ ଗୋଟିଏ ମାର୍କେଟ୍‌ କ​‌ମ୍ପ୍ଲେକ୍ସ, ଜୟନ୍ତୀପୁର ଗାଁରେ ଗୋଟିଏ ଗୋଦାମ୍‌, ଜୟନ୍ତୀପୁର ଗାଁରେ ତାଙ୍କ ସାଙ୍ଗଙ୍କ ନାମରେ ଥିବା ଗୋଟିଏ ଗ୍ୟାସ୍‌ ଏଜେନ୍ସି, ତଳମୁହଁ ସାହିରେ ସାଙ୍ଗଙ୍କ ଘର, ଜୟନ୍ତୀପୁର ଗାଁରେ ଦୁଇ ଜଣ ସମ୍ପର୍କୀୟ ଭାଇଙ୍କ ଘରରେ ଏହି ଚଢ଼ାଉ ଚାଲିଛି ।

ଦନାର୍ଦ୍ଦନ ସବୁ ସମ୍ପତ୍ତି ତାଙ୍କ ବ୍ୟତୀତ ପତ୍ନୀ କୁନ୍ତଳା କୁମାରୀ ସାହୁ, ବାପା ସ୍ୱର୍ଗତ ଶ୍ୟାମଘନ ସାହୁ, ପୁଅ ଅମିତ କୁମାର, ସାଙ୍ଗ ଦୁର୍ଯ୍ୟଧନ ସେଠୀ, ଭାଇ କୃଷ୍ଣଚନ୍ଦ୍ର ସାହୁ, ଗଣେଶ ସାହୁଙ୍କ ନାମରେ ରଖିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରେଡ୍ ଚାଲିଛି । ମୋଟ ସମ୍ପତ୍ତିର ଆକଳନ ଚାଲିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ଗଣେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଜଣେ କ୍ରୀଡ଼ା ଶିକ୍ଷକଙ୍କ ପାଖରୁ ଅମାପ ସମ୍ପତ୍ତି ମିଳିବାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର୍‌ ଧରିଛି ।

Related Articles

Back to top button