ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇଲା : ବିଜ୍ଞାନରେ ପାସ ହାର ୯୪.୧୨%, ବାଣିଜ୍ୟରେ ୮୯%

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ସିଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସିଏଚ୍‌ଏସ୍‌ଇ ଅଫିସରେ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିଛନ୍ତି। ବିଜ୍ଞାନରେ ପାସ ହାର ୯୪.୧୨% ରହିଥିବା ବେଳେ ବାଣିଜ୍ୟରେ ୮୯% ରହିଛି। ଛାତ୍ରୀଛାତ୍ରମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ orissaresults.nic.in, chseodisha.nic.inକୁ ଯାଇ ରେଜଲ୍ଟ ଦେଖିପାରିବେ।

ସୂଚନାଯୋଗ୍ୟ, ଗତବର୍ଷ କରୋନା ଯୋଗୁ ଯୁକ୍ତ୨ ପରୀକ୍ଷା ହୋଇ ନ ଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିଲା। ତେବେ ଚଳିତବର୍ଷ କରୋନା ପ୍ରକୋପ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଯୁକ୍ତ ୨ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିଲା। ସେହିପରି ଜୁନ୍‌ ୨ ତାରିଖଠାରୁ ମୂଲ୍ୟାୟନ ଆରମ୍ଭ ହୋଇଥିଲା। ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ ଯୋଗେ ମୂଲ୍ୟାୟନ କରାଯାଇଥିଲା। ୨ଟି ପର୍ଯ୍ୟାୟରେ ଖାତା ଦେଖା ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଖାତାଦେଖା ହୋଇଥିଲା। ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯାଇଛି। ମୂଲ୍ୟାୟନ ଲାଗି ୧୨ହଜାରରୁ ଊର୍ଦ୍ଧ୍ୱ ଅଧ୍ୟାପିକା, ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଥିଲା। ମୂଲ୍ୟାୟନରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ପ୍ରତି କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ଇ-ମୂଲ୍ୟାୟନ କେନ୍ଦ୍ରରେ ଏସି ଲଗାଇବା ବାଧ୍ୟତାମୂଳକ ହୋଇଥିଲା। ଚଳିତ ବର୍ଷ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ୩ଲକ୍ଷ ୨୧ହଜାର ୫୦୮ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଅନୁପସ୍ଥିତ ରହିଥିବା ନଜରକୁ ଆସିଥିଲା।

Related Articles

Back to top button