ଏସୀୟ ପାରା କ୍ରୀଡ଼ାରେ ପଦକ ଜିତିଲେ ପ୍ରମୋଦ ଭଗତ

ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରେ ୯ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଏହା ମଧ୍ୟରେ ଏସୀୟ କ୍ରୀଡ଼ାରେ ଗୌରବ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ମିକ୍ସଡ ଡବଲ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଓ ମନିଷା ରାମାଦାସ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗତକାଲି ଏହି ଭାରତୀୟ ଯୋଡ଼ି ମିକ୍ସଡ ଡବଲ୍ସ ଏସଏଲ୩- ଏସୟୁ୫ ଇଭେଣ୍ଟରେ ସେମିଫାଇନାଲରେ ପ୍ରବେଶ କରିଥିଲେ ।

ଏହାପୂର୍ବରୁ ଆଜି ପୁରୁଷ ଜାଭେଲିନ୍ ଥ୍ରୋ ଏଫ୬୪ ଇଭେଣ୍ଟରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ନିଜର ତୃତୀୟ ପ୍ରୟାସରେ ସୁମିତ ୭୩.୨୯ ମିଟର ଥ୍ରୋ କରିଥିଲେ । ଏହାଦ୍ୱାରା ନିଜର ପୂର୍ବ ରେକର୍ଡ ୭୦.୮୩ ମିଟର ରେକର୍ଡକୁ ଭାଙ୍ଗିଥିଲେ । ଭାରତର ପୁଷ୍ପେନ୍ଦ୍ର ସିଂହ ମଧ୍ୟ ଏହି ଇଭେଣ୍ଟରେ ୬୨.୦୬ ମିଟର ଥ୍ରୋ କରି ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ଭାରତର ଭବିନା ପଟେଲ ମହିଳା ସିଙ୍ଗଲସ ଟେବୁଲ ଟେନିସ କ୍ଲାସ ୪ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିବା ଫଳରେ ଭୋରତର ମୋଟ ପଦକ ସଂଖ୍ୟା ୩୮ରେ ପହଞ୍ଚିଛି ।

Related Articles

Back to top button