ଛାତ୍ରଙ୍କ ମାଡରେ ଗୁରୁତର ଅଧ୍ୟାପକଙ୍କ ମୃତ୍ୟୁ

ଝାରସୁଗୁଡ଼ାରେ ଛାତ୍ରଙ୍କ ମାଡରେ ଗୁରୁତର କଲେଜ ଅଧ୍ୟାପକଙ୍କ ମୃତ୍ୟୁ ହୋଇଛି। ଗତ ଫେବୃଆରୀ ମାସରେ ଏହି ଘଟଣା ଘଟିଥିଲା। କ୍ଲାସକୁ ବିଳମ୍ବରେ ଆସିବାରୁ ଅଧ୍ୟାପକ ଜଣଙ୍କ ଛାତ୍ରଙ୍କୁ ତାଗିଦ କରିବା ପରେ ଛାତ୍ରଜଣଙ୍କ ଉତକ୍ଷିପ୍ତ ହୋଇ ଶ୍ରେଣୀ କକ୍ଷରେ ଅଧ୍ୟାପକଙ୍କୁ ମାଡ଼ ମାରିଥିଲେ ଫଳରେ ଅଧ୍ୟାପକଙ୍କ ମୁଣ୍ଡ ଟେବୁଲରେ ମାଡ଼ ହୋଇଥିଲା ଓ ସେ ସଜ୍ଞାହୀନ ହୋଇପଡିଥିଲେ।

ସୂଚନା ଅନୁଯାୟୀ, ଝାରସୁଗୁଡା ସହର ଉପକଣ୍ଠ ପ୍ରଦୋଷ କୁମାର ସ୍ମୃତି ସ୍ମାରକୀ ସ୍ନାତ୍ତକ ମହାବିଦ୍ୟାଳୟରେ ଗତ ଫେବୃଆରୀ ୨୨ରେ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ଘଟଣାରେ ଅଧ୍ୟାପକ ଅମିତ କୁମାର ବାରିକଙ୍କ ମୃତ୍ୟୁ ଘଟିଛି। ଫେବୃଆରୀ ୨୨ରେ +୩ ଦ୍ଵିତୀୟ ବର୍ଷର ଛାତ୍ର ଦୀନେଶ ସହିସ (୨୪) ବିଳମ୍ବରେ ଶ୍ରେଣୀ କକ୍ଷକୁ ଆସିଥିବାରୁ ଇଂରାଜୀ ବିଭାଗ ଅଧ୍ୟାପକ ଅମିତ କୁମାର ବାରିକ (୩୨) ତାଙ୍କୁ ବାରଣ କରିଥିଲେ। ତେବେ ଏଥିରେ ଦୀନେଶ ଉତ୍ତେଜିତ ହୋଇ ଅଧ୍ୟାପକଙ୍କୁ ମୁଥ ମାରିଥିଲେ। ଛାତ୍ରଙ୍କ ମୁଥରେ ଅଧ୍ୟାପକ ଶ୍ରୀ ବାରିକ ପଡିଯାଇଥିଲେ ଓ ନିକଟରେ ଥିବା ଟେବୁଲରେ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସହକର୍ମୀ ଓ ଛାତ୍ରଛାତ୍ରୀମାନେ ତୁରନ୍ତ ଝାରସୁଗୁଡା ଡାକ୍ତରଖାନା ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଘଟଣା ଘଟିବା ଦିନ ସମ୍ପୃକ୍ତ ଛାତ୍ରକୁ ପୁଲିସ ଅଟକ ରଖି ହତ୍ୟା ଉଦ୍ୟମ ଅଭିଯୋଗରେ କୋର୍ଟ ଚାଲାଣ କରିଥିଲା ଓ ପରେ ସେ ଜାମିନରେ ଆସିଥିଲା। କିନ୍ତୁ ଏବେ ଏହି ମାମଲା ୩୦୨ (ହତ୍ୟା)ରେ ପରିବର୍ତ୍ତନ ହୋଇଥିବା ଥାନାଧିକାରୀ କହିଛନ୍ତି।

Related Articles

Back to top button