
ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ
ଭୁବନେଶ୍ୱର: ପାରା ଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଓଡିଶାର ଷ୍ଟାର ଖେଳାଳି ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ ୨ ବିଭାଗର ଫାଇନାଲରେ ସେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ପ୍ରଥମ ସେଟରେ ୨୧-୧୯ରେ ହରାଇଥିଲେ । ବେଥେଲ ଦ୍ୱିତୀୟ ସେଟ ଖେଳିବାକୁ ନ ଆସିବାରୁ ପ୍ରମୋଦଙ୍କୁ ବିଜୟୀ ଘୋଷିତ କରାଯାଇଥିଲା । ସେହିପରି ପୁରୁଷ ଡବଲ୍ସ ଏସଏଲ ୩ ଓ ଏସଏଲ୪ ଫାଇନାଲରେ ପ୍ରମୋଦ ଓ ସୁକାନ୍ତ କଦମ ନିଜ ଦେଶର ନୀତେଶ କୁମାର ଓ ତରୁଣଙ୍କୁ ୧୮-୨୧, ୨୧-୧୪, ୨୧-୧୯ରେ ପରାସ୍ତ କରିଥିଲେ ।
ଓଡିଶାର ଅନ୍ୟ ଜଣେ ଖେଳାଳି ଦୀପ ରଞ୍ଜନ ବିଶୋୟୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଡବଲ୍ସରେ ଦୀପ ଓ ମନୋଜ ସରକାର ଯୋଡି ସେମିଫାଇନାଲରେ ନୀତେଶ-ତରୁଣଙ୍କୁ ୧୮-୨୧ ଓ ୧୦-୨୧ରେ ପରାଜିତ ହୋଇଥିଲେ । ଏହି ଟୁର୍ଣ୍ଣାମେଂଟରେ ପ୍ରଦର୍ଶନ ନେଇ ମୁଁ ବେଶ ଖୁସି ଅଛି ବୋଲି ପ୍ରମୋଦ କହିଛନ୍ତି । ମୁଁ ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ କଠୋର ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ।