ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ଭୋଟିଂ, ଭୋଟ ଦେଲେ ନାହିଁ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର: ଶେଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସରିଥିବାବେଳେ ବାଲାଟ୍ ବକ୍ସ ସିଲ୍ ହୋଇଛି। ଆଜି ବିଧାନସଭାରେ ସମୁଦାୟ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୫ ଜଣ ବିଧାୟକ ଭୋଟ ଦେଇଛନ୍ତି। ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକମାନେ ଭୋଟ ଦେଇଥିଲେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିଥିଲା। ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ଭୋଟ୍ ଦେଇଛନ୍ତି।

ସେହିପରି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଭୋଟ ଦେବାକୁ ଆସିନଥିଲେ। ସମୟ ଗଡିଯିବା ସତ୍ତ୍ୱେ ପ୍ରଶାନ୍ତ ଭୋଟ ଦେବାକୁ ଆସିନଥିବାରୁ ବାଲଟ ବକ୍ସ ସିଲ କରାଯାଇଛି | ସୂଚନା ଥାଉ କି ଓଡ଼ିଶାରେ ଜଣେ ବିଧାୟକ ଭୋଟ ମୂଲ୍ୟ ହେଉଛି ୧୪୯, ଓ ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୭୦୦। ସମୁଦାୟ ବିଜେଡି ବିଧାୟକଙ୍କ ଭୋଟ ମୂଲ୍ୟ ୧୬୬୮୮, ବିଜେଡି ସାଂସଦଙ୍କ ମୂଲ୍ୟ ୧୪,୭୦୦। ବିଜେଡି ସମୁଦାୟ ଭୋଟ ମୂଲ୍ୟ ୩୧, ୪୮୮।

ବିଜେପିର ୨୨ବିଧାୟକ ଥିବା ବେଳେ ସେମାନଙ୍କର ଭୋଟ ମୂଲ୍ୟ ୩୨୭୮, ଏବଂ ୯ ଜଣ ସାଂସଦଙ୍କ ଭୋଟ ମୂଲ୍ୟ ୬୩୦୦। ସମୁଦାୟ ଓଡ଼ିଶା ବିଜେପିର ଭୋଟ ମୂଲ୍ୟ ୯୫୭୮। କଂଗ୍ରେସର ୯ ଜଣ ବିଧାୟକ ଥିବାବେଳେ ସେମାନଙ୍କ ଭୋଟ ମୂଲ୍ୟ ୧୩୪୧ଏବଂ ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୦। ସମୁଦାୟ କଂଗ୍ରେସ ଭୋଟ ମୂଲ୍ୟ ହେଉଛି ୨୦୪୧।

Related Articles

Back to top button