ସିବିଆଇ ଚଢଉ ପରେ ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ପଦ ଛାଡ଼ିଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ  (ଏଫଆଇଏଚ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ଏହା ସହିତ ଭାରତୀୟ ଅଲିମ୍ପିକ ସଂଘ ସଦସ୍ୟ ପଦରୁ ବି ସେ ଇସ୍ତଫା ଦେଇଛନ୍ତି । ଏକ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ପରେ ସେ ଇସ୍ତଫା ଦେଇଛନ୍ତି ।

ହକି ଇଣ଼୍ଡିଆର ୩୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଗତ ଏପ୍ରିଲ ମାସରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ସୋମବାରଦିନ ତାଙ୍କ ଘର, ଅଫିସରେ ଚଢଉ କରାଯାଇଛି । ଦିଲ୍ଲୀ ଓ ଜମ୍ମୁଠାରେ ଥିବା ମୋଟ ୫ଟି ଠିକଣାରେ ଚଢଉ କରିଛି ସିବିଆଇ ଟିମ ।

ଗତ ମାର୍ଚ୍ଚ ମାସରେ ସେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ । ହକିକୁ ଅଧିକ ସମୟ ଦେବା ପାଇଁ ସେ ଏହି ସଦସ୍ୟ ପଦ ଛାଡ଼ୁଥିବା ସେତେବେଳେ କହିଥିଲେ । କିନ୍ତୁ ହଠାତ ଏଫଆଇଏଚ ସଭାପତି ପଦ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ସିବିଆଇ ତଦନ୍ତ ସହ ଯୋଡ଼ି ଦେଖାଯାଉଛି ।

ଏଫଆଇଏଚର ସଭାପତି ଥିବା ସମୟରେ ଓଡ଼ିଶାରେ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା ।

Related Articles

Back to top button