ଧବଳେଶ୍ବର ପୀଠକୁ ବାହୁଙ୍ଗି ବାରଣ

ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଯିବେ

ଆଠଗଡ: ଆଉ ଦୁଇ ଦିନ ପରେ ଶ୍ରାବଣ ମାସର ପ୍ରଥମ ସୋମବାର ।  ଦୁଇ ବର୍ଷ ହେବ କରୋନା ଯୋଗୁଁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ମିଳିଛି ଅନୁମତି । ତେଣୁ ପ୍ରସିଦ୍ଧ ଧବଳେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଯିବ। ତେବେ ଲକ୍ଷାଧିକ କାଉଡିଆଙ୍କ ସମାଗମ ଆଶଙ୍କାକୁ ଦୃଷ୍ଟିରେ ରଖି ଧବଳେଶ୍ବର ପୀଠକୁ ବାହୁଙ୍ଗି ବାରଣ କରାଯାଇଛି । ଧବଳେଶ୍ବର ପୀଠକୁ କାଉଡ଼ିଆମାନେ ବାହୁଙ୍ଗି ନେଇ ଯାଇପାରିବେ ନାହିଁ । ଧବଳେଶ୍ବର ପୀଠର ଝୁଲାପୋଲ ପର୍ଯ୍ୟନ୍ତ କାଉଡିଆ ବାହୁଙ୍ଗି ନେଇପାରିବେ । କିନ୍ତୁ ପୀଠକୁ ବାହୁଙ୍ଗି ନେଇପାରିବେ ନାହିଁ ।

ତେବେ ଝୁଲାପୋଲ ପୂର୍ବରୁ ହିଁ ବାହୁଙ୍ଗି ରଖି ପୀଠକୁ ଯିବେ କାଉଡିଆ । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ପୀଠକୁ ଯାଇପାରିବେ । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

ଧବଳେଶ୍ବରରେ ଚଳିତ ବର୍ଷ ଲକ୍ଷାଧିକ ସଂଖ୍ୟାରେ କାଉଡିଆଙ୍କ ସମାଗମ ହେବା ଆଶଙ୍କା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ଝୁଲା ପୋଲ ପାର୍ଶ୍ବରୁ ବ୍ୟାରିକେଡ୍‌ କରାଯାଇଛି । ଏଥିସହିତ ପୀଠର ପଶ୍ଚିମ ପାର୍ଶ୍ବ ବ୍ୟାରିକେଡ୍‌ ଯୋଗେ କାଉଡିଆମାନେ ଯିବା ସହିତ ହୋଟେଲ ନିରୂପମା ପାର୍ଶ୍ବ ଦେଇ ମନ୍ଦିରକୁ ପ୍ରବେଶ କରି ଭୋଗ ମଣ୍ଡପରେ ଥିବା ଲିଙ୍ଗରେ ପାଣି ଢାଳିବେ ।

Related Articles

Back to top button