ବିଜେବି କଲେଜ ପରିସରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ପ୍ରତିଷ୍ଠିତ ବିଜେବି କଲେଜ ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନେକ ସମୟରେ ବାହାର ପିଲା ବା ଅଣଛାତ୍ର କ୍ୟାମ୍ପସକୁ ଅବୈଧ ଭାବେ ପ୍ରବେଶ କରି ଛାତ୍ରଙ୍କୁ ମାରପିଟ୍‌ କରିବା ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବାରୁ କଲେଜ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। କଲେଜର ପ୍ରବେଶ ଫାଟକ ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଏଣିକି କଲେଜ ଭିତରକୁ ବାହାର ଲୋକେ ମନଇଚ୍ଛା ପଶି ପାରିବେ ନାହିଁ। ଏନେଇ କଲେଜ ଅଧ୍ୟକ୍ଷ ଗୁଲାମ ମୋଇନୁଦ୍ଦିନ ଖାନ୍‌ କହିଛନ୍ତି, ବାହାର ପିଲାଙ୍କ ପ୍ରବେଶ ଉପରେ ଏହି କଟକଣା ଲଗାଯାଇଛି। ସା ପରେ କଲେଜର ସବୁ ଗେଟ୍‌ରେ ତାଲା ପଡ଼ିବା ସହ ୫ଟା ପରେ କ୍ୟାମ୍ପସରେ ସ୍କ୍ବାଡ୍‌ ବୁଲିବେ। ସୋମବାର କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ବାହାର ପିଲା ବା ଅଣଛାତ୍ର ଭିତରକୁ ଯିବେ ତା’ହେଲେ ପରିଚୟ ପତ୍ର କିମ୍ବା କେଉଁ କାମ ପାଇଁ ଆସୁଛନ୍ତି ତାହାର କାରଣ କହିବାକୁ ପଡିବ। ଏହାସହ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ କ୍ୟାମ୍ପସରେ ସିସିଟିଭି ଲଗାଯିବ। ଏଥିପାଇଁ ଏକ୍ସପର୍ଟ ଟିମ୍‌ ଗଠନ ହୋଇଛି। ପାଚେରିରେ କଣ୍ଟା ତାର ଲଗାଇବାକୁ ପିଡବ୍ଲ୍ୟଡିଙ୍କୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ପଡିଆକୁ ଛାତ୍ରଙ୍କ ସମେତ ବୟସ୍କ ଲୋକେ ମଧ୍ୟ ବୁଲାବୁଲା କରିବାକୁ ଆସୁଛନ୍ତି। ଏହି ପଡ଼ିଆର ସୁରକ୍ଷା ଲାଗି ମଧ୍ୟ ଆର୍‌ଆଣ୍ଡ୍‌ବିକୁ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଶନିବାର କଲେଜ ଖେଳ ପଡ଼ିଆରେ ଅଣଛାତ୍ରମାନେ କ୍ରିକେଟ ଖେଳୁଥିବାବେଳେ କେତେଜଣ ଛାତ୍ର ସେଠାରେ ଖେଳିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ପ୍ରଥମେ ବଚସା ପରେ ଅଣଛାତ୍ରମାନେ ଏକାଠି ହୋଇ ଖଣ୍ଡା, ବ୍ୟାଟ, ଫାର୍ସା, ବାଡି ଦ୍ୱାରା ଆକ୍ରମଣ କରିବାରୁ ୩ ଛାତ୍ର ଆହତ ହୋଇଥିଲେ। ଏହି ଘଟଣାରେ ବଡଗଡ ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଛି। ସେହିପରି ଅନ୍ୟଏକ ଘଟଣାରେ ଜଣେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଛାତ୍ର ଶାଶ୍ୱତ ପଣ୍ଡାଙ୍କୁ କେତେଜଣ ଅଣଛାତ୍ର ମଦ ବୋତଲରେ ଆକ୍ରମଣ କରିଥିଲେ। ଗୁରୁତର ଶାଶ୍ୱତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ ବାରମ୍ବାର ଅଣଛାତ୍ରମାନେ ଏଭିଳି ହିଂସାତ୍ମକ କାଣ୍ଡ ଭିଆଉଥିବାରୁ ସେମାନଙ୍କ ଅବଧୈ ପ୍ରବେଶକୁ ଛାତ୍ରୀଛାତ୍ର ବିରୋଧ କରିଥିଲେ। ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ କେବଳ ବିଜେବି କଲେଜ ନୁହେଁ, ବାଣୀବିହାର ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ଅଣଛାତ୍ର ପ୍ରବେଶ କରି ଆକ୍ରମଣ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଅନ୍ୟ କଲେଜରେ ମଧ୍ୟ ଏଭଳି ପଦକ୍ଷେପ ନିଆଯିବାକୁ ଛାତ୍ର ସଂଘଗୁଡିକ ପକ୍ଷରୁ ଦାବି କରାଯାଇଛି।

Related Articles

Back to top button