
ଯୋଗ ଦିବସର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ
ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା। ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ଏଭଳି ବାର୍ତ୍ତା ଦେଇଛନ୍ତି। ଏହାସହ ବାଲୁକା କଳାରେ ସକାଳର ସୂର୍ଯ୍ୟ କିରଣରେ ବସି ଯୋଗ ମୁଦ୍ରାର ଚିତ୍ରଣ କରିଛନ୍ତି ମାନସ।
ଯୋଗ ହିଁ ଏକ ମାତ୍ର ଉପାୟ ଯାହାଦ୍ୱାରା ଜଣେ ବ୍ୟକ୍ତି ସମ୍ପୂର୍ଣ ସୁସ୍ଥ ରହିବା ସହିତ ନିଜ ଜୀବନ ଶୈଳିକୁ ସୁଚାରୁ ରୂପେ ସଂଚାଳନ କରିପାରିବ। ସୁସ୍ଥ ରହିବା ପାଇଁ ହେଲେ ନିଜ ପାଇଁ ନିଜେ ସମୟ ବାହାର କରି ଯୋଗ କରିବା ସହ ସୁସ୍ଥ ବାତାବରଣ ସୃଷ୍ଟି କରିବା ଆବଶ୍ୟକ ବୋଲି ମାନସ କହିଛନ୍ତି। ଏହି ବାଲୁକା କଳାରେ “International Yoga Day” ର ବାର୍ତ୍ତା ଦେବା ସହିତ “Yoga for humanity” ର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳାଟିର ଓସାର ୧୭ ଫୁଟ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି।