ସ୍କୁଲ୍ ନ ଯାଇ ଚାରି ମାସ ହେବ ଶିକ୍ଷୟତ୍ରୀ ଦରମା ନେଉଥିବା ଅଭିଯୋଗ

ନବରଙ୍ଗପୁର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ଚାରି ମାସ ହେବ ସ୍କୁଲ୍ ନ ଯାଇ ଦରମା ନେଉଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍ ଖୋଲିବା ପରଠାରୁ ଶିକ୍ଷୟତ୍ରୀ ଜଣଙ୍କ ସ୍କୁଲ ଆସିନଥିବା ଅଭିଯୋଗ ହୋଇଛି। ଶିକ୍ଷୟତ୍ରୀ ଜଣଙ୍କ ହେଉଛନ୍ତି ଗୀତାଞ୍ଜଳି ଚାନ୍ଦ। ସେ ଏବେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେନ୍ତ୍ରୀ ଉଚ୍ଚ ବିଦ୍ୟାଳୟର ପିଇଟି ଶିକ୍ଷୟିତ୍ରୀ।

ଗତ ୧୭ ତାରିଖରୁ ଗୀତାଞ୍ଜଳି ଚାନ୍ଦ ସ୍କୁଲ ଆସୁନଥିବା ଅଭିଯୋଗ ହୋଇଛି। ହେଲେ ସେ ପ୍ରତି ମାସରେ ଦରମା ନେଉଛନ୍ତି। ଜୁନ୍ ୧୭ରେ ସ୍କୁଲ ଖୋଲିବା ପରେ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ସେ ଜୁଲାଇ ୧୫ ଯାଏ ଛୁଟି ମାଗିଥିଲେ। ଏ ନେଇ ସେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ଜଣାଇଥିଲେ।

ଏବେ ସେ ଚତୁର୍ଥ ଥର ପାଇଁ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ତାଙ୍କ ଅସୁସ୍ଥତା ଛୁଟି ଆବେଦନକୁ ପୋଷ୍ଟ ଅଫିସ ଯୋଗେ ପଠାଇ ବଢାଇବାକୁ ନିବେଦନ କରିଛନ୍ତି। କିଛି ପାରିବାରିକ ସମସ୍ୟା ଥିବା ଦର୍ଶାଇ ତାଙ୍କୁ ଭଦ୍ରକ ଜିଲ୍ଲାକୁ ବଦଳି କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ୪ ମାସ ଛୁଟିରେ ରହିବା ସତ୍ତ୍ୱେ ସେ ଦରମା ନେଉଛନ୍ତି।

ସେପଟେ ସ୍କୁଲର ପ୍ରଧାନ ଶିକ୍ଷକ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବା ସହ ତାଙ୍କ ଦରମା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର କୁମାର ମିଶ୍ର କହିଛନ୍ତି,”ଆମ ପିଇଟି ଶିକ୍ଷକ ଗତ ୧୭ ତାରିଖରୁ ଛୁଟିରେ (ଇଏଲ) ଅଛନ୍ତି। ସେ ଦରମା ପାଉଛନ୍ତି କି ନାହିଁ ମୁଁ ଜାଣି ନାହିଁ କାରଣ ବ୍ୟକ୍ତିଗତ ନମ୍ବରରେ ଦରମା ମେସେଜ୍ ପଠାଯାଉଛି। ସେ ଭଦ୍ରକ ଜିଲ୍ଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଲେଖିଛନ୍ତି। ନିକଟରେ ସେ ତାଙ୍କ ଛୁଟିକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି।

ସେହିପରି ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ କହିଛନ୍ତି, “ଗୀତାଞ୍ଜଳି ଚାନ୍ଦ ଇଏଲ୍ ରେ ଥିବାରୁ ଗ୍ରୀଷ୍ମ ଛୁଟି ପରେ କାମ କରିବାକୁ ଆସି ନାହାନ୍ତି। ଏ ବାବଦରେ ଅନୁଧ୍ୟାନ କରିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Back to top button